Unknown

 

 

 

 

 

 

 

 

 

ମେଘଦୂତ

କବିବର ରାଧାନାଥ ରାୟ

 

ପୂର୍ବମେଘ

( ରାଗ‌- କଳହଂସକେଦାର )

 

ଦକ୍ଷିଣଦେଶେ ରାମଗିରି ଶୋଭନ,

 

ବିମଳ ଶୁଭ୍ର ଯହିଁ ନ‌ଦୀ ଜୀବନ।

 

ଜନ‌କ‌କନ୍ୟା ସ୍ନାନେ ପବିତ୍ର ଅତି,

 

ପର୍ଣ୍ଣ‌ଗ‌ହଳ ଯହିଁ ତରୁ-ବ୍ରତ‌ତୀ

। ୪ ।

ତ‌ହିଁ କୁବେର ଶାପେ ହୋଇ ପ୍ରେରିତ,

 

ରହିଲା ଯକ୍ଷ ଦୁଃଖେ ଆତୁର ଚିତ୍ତ।

 

ବତ୍ସର ଅନ୍ତେ ହେବ ଶାପ ମୋଚନ,

 

ବତ୍ସର ଅନ୍ତେ ହେବ କାନ୍ତା ସଙ୍ଗେ ମିଳନ

। ୮ ।

ଗମିଲା କେତେ କାଳ ସେ ଧରାଧରେ,

 

ବାଳାବିରହୀ କାମୀ ଯକ୍ଷ କାତରେ।

 

କ୍ରମେ ଶରୀର କାନ୍ତି ହେଲା ବିଲୟ,

 

ଖସିଲା ଶୀର୍ଣ୍ଣ କରୁ ସ୍ୱର୍ଣ୍ଣ ବଳୟ

। ୧୨ ।

ଆଷାଢ଼ ଆଦ୍ୟ ଦିନେ ଶିଖରିଶିର

 

ଘୋଟିଲା ଆସି ଘନନୀଳମୁଦିର।

 

କ୍ରୀଡ଼ା ନିମନ୍ତେ ବପ୍ରେ କରୀ ଯେସନ,

 

ତେସନେ ମନୋରମ ଦିଶଇ ଘନ

। ୧୬ ।

କେତକୀପ୍ରକାଶକ ଘନ ଦର୍ଶନେ

 

ଅଧୀର ଯକ୍ଷ ପୂର୍ବସୁଖ ସ୍ମରଣେ।

 

ବେଗେ ବହିଲା ଶୋକଅଶ୍ରୁ ନୟନେ,

 

କ‌ହି ନୁହଇ କେତେ ପାଞ୍ଚିଲା ମନେ

। ୨୦ ।

ଅଙ୍ଗନା ସଙ୍ଗେ ମଧ୍ୟ ଥିଲା ଲୋକର

 

ଘନାଗମେ ଆକୁଳ ହୋଏ ଅନ୍ତର।

 

ପ୍ରାଣସଙ୍ଗିନୀ ସଙ୍ଗମୁଖ ହଜାଇ

 

ଆତୁର ଯକ୍ଷ, ତାର କଥା ତ ନାହିଁ

। ୨୪ ।

ନିଜ କୁଶଳ ବାର୍ତ୍ତା ମେଘ ହସ୍ତରେ

 

ପ୍ରେରିବ ପ୍ରିୟା ପାଶେ ନିଜ ନ‌ଗରେ।

 

ପାଇ ବାରତା କାନ୍ତା ହୋଇବ ସ୍ଥିର,

 

ଆଶାପ୍ରଭା ଶୋଷିବ ତା ନେତ୍ରନୀର

। ୨୮ ।

ଏ ଭାବେ ପ୍ରାଣକାନ୍ତାଦୁଃଖେ ବିକଳ,

 

ଅର୍ଘ୍ୟସ୍ୱରୂପେ ଦେଲା ନିର୍ଝର ଜଳ।

 

ପୂଜିଣ ଜୀମୂତଙ୍କୁ କୁଟଜ ଆଣି,

 

ତା ଅନ୍ତେ ପଚାରଇ ସ୍ୱାଗତ ବାଣୀ

। ୩୨ ।

ଧୂମଜ୍ୟୋତିସଲିଳବାୟୁରଚିତ

 

କାହିଁ ଜୀମୂତ?ସେହୁ ଜୀବବର୍ଜିତ!

 

ମାନବବହ‌ନୀୟ କାହିଁ ସନ୍ଦେଶ?

 

ଯକ୍ଷ ନ ବିଚାରିଲା ଏଥି ବିଶେଷ

। ୩୬ ।

ଉତ୍କଣ୍ଠାକୁଳ ହୋଇ ଘନ‌କୁ ଭାଷେ,

 

ସଜୀବ ମଣି ହୃଦକଥା ପ୍ରକାଶେ।

 

ଅଙ୍ଗ ଘାରଇ ଯାର ଅନଙ୍ଗ ବାଣ,

 

ଚେତନ ଅଚେତନ ତାର ସମାନ

। ୪୦ ।

ପୁଷ୍କର ଆବର୍ତ୍ତକ ବଂଶେ ସମ୍ଭୂତ,

 

ବିଖ୍ୟାତ ଧରାତଳେ ଅଟ ଜୀମୂତ!

 

କାମଚାରୀ ସଚିବ ତୁମ୍ଭେ ଇନ୍ଦ୍ରର,

 

ବିରହୀ ଜନଠାରେ କରୁଣା କର

। ୪୪ ।

ବିଫଳାହୋଏ ଯେବେ ମୋହୋ କାମନା,

 

ଜଳଦ! ତ‌ହିଁନକରଇ ଭାବନା।

 

ଫଳବତୀ ପ୍ରାର୍ଥନା ଅଧମଠାରେ

 

ନିନ୍ଦନୀୟ ଅଟଇ ମୋର ବିଚାରେ

। ୪୮ ।

ତାପିତ ଜନଙ୍କର ଅଟ ଶରଣ,

 

ହେ ନୀରଦ! ରଖ ମୋ ପ୍ରିୟା ଜୀବନ।

 

ଧନପତି ଶାପେ ମୁଁ କାତର ଅତି,

 

ମୋ ବିନା କାତର ସେ ବରଯୁବତୀ

। ୫୨ ।

ଯାଅ ମୋ ବାର୍ତ୍ତା ଘେନି ହେ ନୀରଧର!

 

ଅଳକା ନ‌ଗରୀକି, ଯହିଁ ସୁନ୍ଦର

 

ବ‌ହିରୁଦ୍ୟାନେ ଛନ୍ତି ଶଶିଶେଖର,

 

ସେ ଶଶି କରେ ଧଳା ସୌଧନିକର

। ୫୬ ।

ତୁମ୍ଭ ଦର୍ଶନେ ପାନ୍ଥବନିତାକୁଳ-

 

ହୃଦୟେ ବିକସିବ ଆଶାମୁକୁଳ।

 

ଧରିଣ ବେଣୀ ବାମ କରକମଳେ

 

ଦେଖିବେ ଗତି ତୋର ଅମ୍ବର-ତଳେ

। ୬୦ ।

କେ କ୍ରୂର ଏକାଳରେ ବିଦେଶେ ଥାଇ

 

ବନିତାମନ ଖେଦହ୍ରଦେ ବୁଡ଼ାଇ

 

ନିଶ୍ଚିନ୍ତରେ ରହଇ କ‌ହ ମୋ ବିନା?

 

ପରାଧୀନର ଘନ! ଏ ଗତି ସିନା!

। ୬୪ ।

ଅନୁକୂଳ ସମୀର ଧୀରେ ବ‌ହଇ,

 

ବାମେ ଚାତକ ମନୋହର କୂଜଇ।

 

ତୋହୋ ଉଦୟେ ତାର ଗର୍ବ ଉଦିତ,

 

ଆକାଶ ଝଙ୍କାରଇ ଏଣୁ ତା ଗୀତ

। ୬୮ ।

ତୋହ ଆଗମ କାଳେ ଯାହା ଉତ୍ପତ୍ତି,

 

ତୋତେ ସେବିବେ ସେହି ବକପଙ୍କତି।

 

ଧବଳ ପୁଣ୍ଡରୀକମାଳ ପରାୟେ

 

ଦିଶିବେ ଅଭିରାମ ତୋ ଶ୍ୟାମକାୟେ

। ୭୨ ।

ନିଶ୍ଚେ ନାଗରୀ ମୋର ଥିବ ଜୀବନେ,

 

ବାସର ଗଣୁଥିବ ଉତ୍ସୁକ ମନେ।

 

ଅବଳାମନଃପଦ୍ମଆଶାମୃଣାଳେ

 

କଷ୍ଟେ ରହଇ ଘୋର ବିରହକାଳେ

। ୭୬ ।

ଶ୍ରୁତିମଧୁର ତୋର ନାଦ ଗଭୀର

 

(ଭୂଷଇ ଯେହୁ ଧରାଦେବୀଶରୀର

 

ନବ କନ୍ଦଳୀଦଳ ଶ୍ୟାମଳ ବାସେ)

 

ମିଳାଇବ ତୋ ସଙ୍ଗୀ ଆଣି ଆକାଶେ

। ୮୦ ।

 

 

ଅଳକା – କୁବେରପୁରୀ ।

 

ରାଜ‌ହଂସେ ଶୁଣିଲେ ତୋର ଗର୍ଜ୍ଜନ,

 

ନୀଳାମ୍ବୁ ମାନସକୁ ଯିବେ ବ‌ହ‌ନ।

 

ପାଥେୟରୂପେ ଘେନି ମୃଦୁ ମୃଣାଳ

 

କୈଳାସ ଯାଏ ସଙ୍ଗେ ଯିବେ ମରାଳ

। ୮୪ ।

ପ୍ରିୟସଖା ତୋହର ଏ ଧରାଧର,

 

ଦେହେ ଧରନ୍ତି ରାମଚନ୍ଦ୍ର-ପୟର।

 

ତେଣୁ ଅଟନ୍ତି ଗିରି ଅତି ପବିତ୍ର,

 

ମିତ୍ର ତୁମ୍ଭର ଗିରି ନୁହେଁ ବିଚିତ୍ର

। ୮୮ ।

ଉଭୟେ ଯଥାକାଳେ ହେଲେ ମିଳିତ,

 

ପ୍ରେମଅଶ୍ରୁପ୍ରବାହ ବ‌ହେ ତ୍ୱରିତ।

 

ଅମ୍ବୁଦ! ଗିରିଠାରୁ ମାଗ ମେଲାଣି,

 

କାତର ଅଟଇ ମୁଁ ରଖ ମୋ ବାଣୀ

। ୯୨ ।

ତୁମ୍ଭ ଗମନ‌ଯୋଗ୍ୟ ମାର୍ଗ ନିର୍ଦ୍ଦେଶ

 

କରଇ, ଅବଧାନ ହେଉ ବିଶେଷ।

 

ଆତ୍ମ ସନ୍ଦେଶ ପୁଣି କ‌ହିବି ପରେ,

 

ଶୁଣି ହରଷ ଜାତ ହେବ ଅନ୍ତରେ

। ୯୬ ।

କ୍ଲାନ୍ତ ହୋଇଲେ ଗିରିଶୃଙ୍ଗେ ରହିବ,

 

କ୍ଷୀଣ ହୋଇଲେ ନ‌ଦୀବାରି ସେବିବ।

 

ଏଣୁ ହୋଇବ ସୁଖେ ତୁମ୍ଭ ଗମନ,

 

କଷ୍ଟ ନୋହିବ ମୋହୋବାଞ୍ଛାପୂରଣ

। ୧୦୦ ।

ଘନ! ବେତସପୂର୍ଣ୍ଣ ଏ ସ୍ଥାନ ତ୍ୟଜି

 

ବେଗେ ଗ‌ଗନେ ଉଠ ଧୀରେ ଗରଜି।

 

ଚକିତ ନୟନରେ ସିଦ୍ଧରମଣୀ

 

ଅନାଇବେ ତୁମ୍ଭଙ୍କୁ ବିସ୍ମୟ ମଣି

। ୧୦୪ ।

ପରସ୍ପରେ ଭାଷିବେ ‘‘ଦେଖ ଗୋ ସଈ!

 

କି ଅବା ବାୟୁ ଗିରିଶୃଙ୍ଗ ହରଇ!’’

 

ଅନମ୍ବରେ ଅମ୍ବୁଦ! ଦିଗବାରଣେ

 

ତ୍ୟଜିବେ କର-ଗର୍ବ ତୁମ୍ଭ ଦର୍ଶନେ

। ୧୦୮ ।

ବଲ୍ମୀକଶିଖାଗ୍ରରୁ ହୋଇ ବାହାର

 

ସୁରେନ୍ଦ୍ରଚାପ-ଲତା ଦିଶେ ବାହାର।

 

ରତନ‌କାନ୍ତି-ସ୍ରୋତ ଯେହ୍ନେ ଉଚ୍ଛଳେ,

 

କି ଶୋଭା ପାଉଅଛି ତୋ ଉରସ୍ତଳେ

। ୧୧୨ ।

ଏହି ରୂପେ ଜଳଦ, କୃଷ୍ଣ ଦେହରେ

 

ମୟୁର-ପୁଚ୍ଛ-ଶୋଭା ନୟନ ହରେ

 

ଯାହା ରୂପେ ମଜ୍ଜିଲା ଗୋପିକା ମନ

 

ତାହା ଉପମା ପାଇଁ ତୁମ୍ଭେ ଭାଜନ

। ୧୧୬ ।

କ୍ଷମତା ଅଛି ତୋର ଶସ୍ୟବର୍ଦ୍ଧନେ,

 

ଏଣୁ କୃଷକବାଳା ସ୍ଥିର-ଲୋଚନେ

 

ଦେଖିବେ ତୋ ମୋହ‌ନ ଛବି ଆକାଶେ

 

ଅନଭିଜ୍ଞ ସରଳା ନେତ୍ର ବିଳାସେ

। ୧୨୦ ।

ମାନକ୍ଷେତ୍ରକୁ ଘନ! କର ପ୍ରୟାଣ,

 

ହଳ-କର୍ଷଣ-ଜାତ ମୃତ୍ତିକା ଘ୍ରାଣ

 

ତୋଷିବ ନାସା ତୋର, ତ‌ହୁଁ ଉତ୍ତରେ

 

ଲଘୁଗତି ଗମିବୁ ଶୂନ୍ୟସାଗରେ

। ୧୨୪ ।

ଗିରିଙ୍କର ତୁ ଅଟୁ ମଙ୍ଗଳକାରୀ,

 

ନିଭାଉ ଦାବାନଳ ବିସର୍ଜିବାରି

 

ଶ୍ରାନ୍ତ ହୋଇଲେ ଆମ୍ରକୂଟ ସଦନେ

 

ଗଲେ, ସେବିବେ ଗିରି ଅତି ଯତନେ

। ୧୨୮ ।

କ୍ଷୁଦ୍ରେ ଭଦ୍ରଭବନେ ନେଲେ ଶରଣ,

 

ନିରାଶ ନ ହୁଅନ୍ତି ଯାଚକଗଣ

 

ଗିରି ମହତ, ପୁଣି ତୁ ହିତକର,

 

ମସ୍ତକେ ସ୍ଥାନ ତୋତେ ଦେବେ ଭୂଧର

। ୧୩୨ ।

ସେକାଳେ ଦାବାନଳ ଗିରି-କାନନେ

 

ଜଳୁଥିବ‌ ହେ ଯେବେ ବାରିବର୍ଷଣେ

 

ନିଭାଇବ ଅନଳ, ସଂଶୟ ନାହିଁ,

 

ମହତ ଲୋକର ଏ ସୁରୀତି ଭାଇ

। ୧୩୬ ।

ମହତଜନଠାରେ କରୁଣା କଲେ,

 

ସେ କରୁଣା ନ ଯାଏ କେବେ ବିଫଳେ।

 

ଆଶୁ ସୁଫଳ ଜାତ ନିଶ୍ଚେଁ ହୁଅଇ,

 

କରୁଣାପ୍ରଭା ପୁଣି ପ୍ରତିଫଳଇ

। ୧୪୦ ।

ରସାଳଦ୍ରୁମ ହେମକାନ୍ତି ଫଳରେ

 

ବିନତ ହୋଇଥିବ ଗିରି ପ୍ରାନ୍ତରେ

 

ତୁ ପୁଣି ଗିରିଶିରେ ବସିବୁ ଯାଇଁ,

 

ଦୂରୁଁ ସୁରମିଥୁନ ବିମାନେ ଥାଇ

। ୧୪୪ ।

ମନୋରଞ୍ଜନ ଗିରିଶୋଭା ଦେଖିବେ,

 

ନ‌ଗଙ୍କୁ ପୃଥ୍ୱୀସ୍ତନ ବୋଲି ମଣିବେ

 

ସୁମେରୁ ଶିରେ ନୀଳକାନ୍ତ ଶିଖର

 

ପରାୟେ ଦିଶୁଥିବ ତୋ କଳେବର

। ୧୪୮ ।

ବନେଚରଲଳନା କେଳି-ନିଳୟ

 

ରାଜଇ କୁଞ୍ଜ, ତ‌ହିଁ ଅଳ୍ପ-ସମୟ

 

ରହି, ଅସାର ଦାନେ ନବଜୀବନ

 

ତରୁ ଦଳକୁ ଦେଇ, କର ଗମନ

। ୧୫୨ ।

ଏଥୁଅନ୍ତେ ଅଗ୍ରତେ ରେବା ଦିଶଇ,

 

ଶିଳା-ବିଷମ ବିନ୍ଧ୍ୟପାଦେ ବ‌ହଇ।

 

କରିଅଙ୍ଗେ ରଚିତ ଭୁତି ଯେସନ,

 

ତେସନେ ଏ ତଟିନୀ ରମ୍ୟଦର୍ଶନ

। ୧୫୬ ।

ଅବଗାହ‌ନ୍ତି ବନ୍ୟବାରଣେ ତ‌ହିଁ,

 

ଗଣ୍ଡରୁ ମଦ ସ୍ରବି ଜଳେ ମିଶଇ,

 

ତେଣୁ ନର୍ମଦାନୀର ନିତ୍ୟ ବାସିତ,

 

ଆଦରେ ସେ ସଲିଳ ନେବ ତ୍ୱରିତ

। ୧୬୦ ।

ସବଳକାୟା ତୋର ଦେଖି ପବନ

 

ତୁଚ୍ଛ ନ ମଣି ଦେବେ ପୃଷ୍ଠେ ଆସନ,

 

ସର୍ବତ୍ର ବଳହୀନ ହତ-ଆଦର,

 

ବଳୀ ଲଭଇ ମାନ ରୀତି ଭବର

। ୧୬୪ ।

ହରିତ ପୀତ ନୀପ କୁସୁମେ ବସି

 

ମଧୁ ପିଅଇ ଭୃଙ୍ଗ ସୁରସେ ରସି,

 

ଭ୍ରମନ୍ତି ମୃଗୀକୁଳ ସଦା ଆତୁର,

 

ଭୁଞ୍ଜନ୍ତି ନବଜାତ ତୃଣ ଅଙ୍କୁର

। ୧୬୮ ।

ପ୍ରମତ୍ତ ମତଙ୍ଗଜ ଶୁଣ୍ଡେ କାନନେ

 

ଘେନଇ ଭୂମି-ଗନ୍ଧ ଶ୍ୱାସ ପବନେ,

 

ଚାତକେ ଉର୍ଦ୍ଧ୍ୱମୁଖେ ତରୁ ଉପରେ

 

ଅମ୍ବୁକଣ ଯାଚନ୍ତି ଆରତ ସ୍ୱରେ

। ୧୭୨ ।

ତୋହୋ କୃପାରେ ଧରାଦେହ ଶୀତଳ

 

ନବପଲ୍ଲବମୟ ତରୁ ସଫଳ

 

ସାନନ୍ଦ ତୃଣଜୀବୀ ଏକାଳ ପାଇ

 

ଶୁଝିବେ ତୋହୋ ଋଣ ମାର୍ଗ ଦର୍ଶାଇ

। ୧୭୬ ।

ବାରିଶୀକର ଯେବେ ତୋ ଦେହୁଁ ଖସେ

 

ଉଡ଼ନ୍ତି ଚାତକାଳି ନଭେ ରଭସେ,

 

ଏକାଳେ ସିଦ୍ଧଗଣ ବନିତା ସଙ୍ଗେ

 

ଚାତକପଂକ୍ତି ଦେଖି ହସିବେ ରଙ୍ଗେ

। ୧୮୦ ।

ସରଳା ମନୋରମା ସିଦ୍ଧରମଣୀ

 

ଅଙ୍ଗୁଳିନିର୍ଦ୍ଦଶରେ ବଳାକା ଗଣି,

 

ଚାହୁଁଥିବେ କାନ୍ତାଙ୍କୁ ସ୍ନିଗ୍‌ଧ ଲୋଚନେ,

 

ଏକାଳେ ବଳାହକ ! ଭୀଷଣ ସ୍ୱନେ

। ୧୮୪ ।

ପୂରିବ ବନଭୂମି, କୌତୁକ ଭୟେ

 

ଭିଡ଼ିବେ କାନ୍ତ‌ତନୁ ବାଳା ନିଶ୍ଚୟେ,

 

ସିଦ୍ଧ ମାନସ ତ‌ହୁଁ ତୁଷ୍ଟ ହୋଇବ

 

ତୋ ଅଗମନ‌କୁ ସେ ଶ୍ଳାଘ୍ୟ ମଣିବ

। ୧୮୮ ।

ହେ ନୀଳନୀରଧର! ତୁମ୍ଭ ଗମନେ

 

ବିଳମ୍ବ ଉପୁଜିବ ଭାଳଇ ମନେ,

 

ତୁଙ୍ଗ ପର୍ବତରାଜି ବର୍ତ୍ମେ ରାଜିତ

 

ଅର୍ଜ୍ଜୁନପୁଷ୍ପବାସେ ଦେହ ବାସିତ

। ୧୯୨ ।

ସେ ସୌରଭ କର୍ଷଣେ ଲୁବ୍‌ଧ ହୃଦୟ

 

ଗମିବ ଶୈଳେ ଘନ! ବ‌ହୁ ସମୟ,

 

କଳାପି-କୁଳ-କେକା ତା’ପରେ ଶୁଣି

 

ମନେପଡ଼ିବ ପୁଣି ମୋର ମାଗୁଣି

। ୧୯୬ ।

ଦଶାର୍ଣ୍ଣ ଦେଶ ଘନ! ଦିଶେ ତା ପରେ,

 

ଏଦେଶ ସମାକୁଳ ବଟଦ୍ରୁମରେ,

 

ଦ୍ରୁମେ ବାୟସ-ବାର ନୀଡ଼ ରଚନ୍ତି,

 

ଏକାରଣେ ପ୍ରାବୃଟେ ସୁଖେ ରହ‌ନ୍ତି

। ୨୦୦ ।

କେତେକ-ଜାଳବୃତି ତ‌ହିଁ କାନନ

 

କେତେକ ପରାଗରେ ପାଣ୍ଡୁ ବରଣ,

 

ଜମ୍ବୁପାଦପ ନତ ଶ୍ୟାମଳ ଫଳେ

 

ସରସେ କଳହଂସ ନାଦ ଉଚ୍ଛଳେ

। ୨୦୪ ।

ତ‌ହୁଁ ଉତ୍ତରେ ଯିବ ନଭ ସନ୍ତରି

 

ଅଗ୍ରେ ବିଦିଶା ନାମେ ରମ୍ୟ ନ‌ଗରୀ,

 

ରମିବ ତୋ ନୟନ ସେ ରାଜଧାନୀ

 

ଅଟଇ ଧରାତଳେ ସେ ନ‌ଗରୀରାଣୀ

। ୨୦୮ ।

ବେତ୍ରବତୀ ତଟିନୀ ତ‌ହିଁ ବ‌ହଇ

 

ନୀଳଊର୍ମିବିଳାସେ ନେତ୍ର ହରଇ,

 

ଭ୍ରୂଭଙ୍ଗୀ-ବିମୋହ‌ନ ବାମା-ବଦନ

 

ଚୁମ୍ବଇ କାନ୍ତ ଯେହ୍ନେ ରସେ ମଗନ

। ୨୧୨ ।

ବେତ୍ରବତୀବଦନ ଚୁମ୍ବି ହରଷେ

 

ତୁ ପୁଣି ନବଘନ! ମଜ୍ଜିବୁ ରସେ,

 

ଲାଜେ ଲଳନା ଯେହ୍ନେର ଅସ୍ଫୁଟ ସ୍ୱନେ

 

ନ‌ଦୀ ଭାଷିବ ତୋତେ କଳନିସ୍ୱନେ

। ୨୧୬ ।

ଶୋହେ ଅଦୂରେ ପୁଣି ନୀରଶିଖରୀ

 

ସୁଖେ ବିଶ୍ରାମ ଲାଭ ତ‌ହିଁ ଉତ୍ତରି,

 

ଗିରି ତୋ ସଙ୍ଗ ପାଇ ରାଜିବ ଭଲେ,

 

ରୋମାଞ୍ଚ ପ୍ରକଟିବ କଦମ୍ବଛଳେ

। ୨୨୦ ।

ଶିଳାସଦନେ ତ‌ହିଁ ନବନାଗରୀ

 

ବାନ୍ଧି ପ୍ରାଣନାଥଙ୍କୁ ଭୁଜବଲ୍ଲରୀ-

 

ପାଶରେ ସନ୍ତୋଷନ୍ତି ରମଣମନ

 

ଶରୀର ପରିମଳ ବ‌ହେ ପବନ

। ୨୨୪ ।

ନୀଚ ଗିରିରୁ ଚାରୁ ନିର୍ଝର ଝରେ

 

ପୁଷ୍ପବନ ବିରାଜେ ବେନି ପାର୍ଶ୍ୱରେ,

 

ଯୁଥିକଫୁଲଜାଳ ତ‌ହିଁ ଫୁଟଇ

 

ମନୋଜ୍ଞସୌରଭରେ ନାସା ତୋଷଇ

। ୨୨୮ ।

ଫୁଲ ତୋଳନ୍ତି ତ‌ହିଁ ମାଳିନୀଦଳ

 

ସ୍ୱେଦେ ମଳିନ ତାଙ୍କ କର୍ଣ୍ଣ-ଉତ୍ପଳ,

 

ତୋର ଶୀତଳ ଛାୟା ହେଲେ

 

ପତିତଉର୍ଦ୍ଧ୍ୱେ ଚାହିଁବେ ବାଳା ହୋଇଣ ପ୍ରୀତ

। ୨୩୨ ।

ଉତ୍ତରଦେଶ ପ୍ରତିଗମନେ ମନ

 

ଉଜ୍ଜୟିନୀକି ଗଲେ ମାର୍ଗବର୍ଦ୍ଧନ

 

ନିଶ୍ଚେ ହୋଇବ, ଜାଣୁଅଛି ବିଶେଷ,

 

ମାତ୍ର ସେଠାରେ ସୁଖଲାଭ ଅଶେଷ

। ୨୩୬ ।

ସୌଧଉତ୍ସଙ୍ଗେ ହିଁ ପୁର-ଅଙ୍ଗନା

 

ମନ୍ଦେ ବିହରୁଥିବେ ହଂସଗମନା,

 

ଦେଖି ତୋ ଗାତ୍ରେ କ୍ଷଣପ୍ରଭା ସ୍ଫୁରଣ

 

ଚକିତ ହେବ ବାମା ବାମନୟନ

। ୨୪୦ ।

ଚାରୁ ଚାହାଣି ଭୂରୁଶୋଭିନୀଙ୍କର

 

ବିଦ୍ୟୁଝଟକେ ପୁଣି ବଟୁଳତର,

 

ନ ଦେଖି ଯିବୁ ଯେବେ ତ‌ହିଁ ତୁ, ଘନ!

 

ବୃଥା ଜନମ ତୋର, ବୃଥା ଜୀବନ

। ୨୪୪ ।

ମାର୍ଗେ ନିର୍ବିନ୍ଧ୍ୟା ନ‌ଦୀ ତୋ ପ୍ରଣୟିନୀ

 

ଅଳି-ଶ୍ୟାମଳ-ଚାରୁ-ଊର୍ମିମାଳିନୀ,

 

ଊର୍ମିକ୍ଷୋଭେ ଆକୁଳ ମରାଳସ୍ୱନ

 

ଶୁଭିବ କାଞ୍ଚିଶବ୍ଦ ପ୍ରାୟେ ମୋହ‌ନ

। ୨୪୮ ।

ଆବର୍ତ୍ତରୂପେ ନାଭି ନେତ୍ର ମୋହିବ

 

ତୋଠାରେ ନ‌ାରୀ ସ୍ନେହ ସେହି ସୂଚିବ,

 

ରସିକ ତୁ ଜଳଦ! କ‌ହିବି କେତେ?

 

କାମିନୀ ପ୍ରକାଶନ୍ତି ଭାବସଙ୍କେତେ

। ୨୫୨ ।

କୃଶସଲିଳରେଖା ବେଣୀ ପରାୟେ

 

ଦିଶଇ, ପୁଣି ନ‌ଦୀପୁଳିନ‌କାୟେ,

 

ସ୍ଖଳିତ ତୀର-ତରୁ-ପର୍ଣ୍ଣ-ନିବ‌ହ

 

ତେଣୁ ପାଣ୍ଡୁର କାନ୍ତି ନ‌ଦୀବିଗ୍ରହ

। ୨୫୬ ।

ଶୈବଳିନୀ ବିରହଦଶା ପ୍ରକାଶି

 

ସୂଚିବ ତୋଠାରେ ସେ କେଡ଼େ ପ୍ରୟାସୀ,

 

ଯେଉଁ ଉପାୟେ ପୂର୍ବରୂପ ଲଭିବ

 

ନିଦାନେ ସେ ବିଧାନ ଘନ କରିବ

। ୨୬୦ ।

ଅଗ୍ରେ ବିରାଜେ ତାର ଅବନ୍ତୀପୁରୀ

 

ଯେ ପୁରେ ଉଦୟନ କଥା ମାଧୁରୀ,

 

ଗଳ୍ପ‌ପ୍ରିୟ ସ୍ଥବିର ତୁଣ୍ଡୁ ଝରଇ,

 

ତା ପରେ ଉଜ୍ଜୟିନୀ ପୁରୀ ରାଜଇ

। ୨୬୪ ।

ବର୍ଣ୍ଣି ନୁହଇ ତାର ଚାରୁ ସୁଷମା;

 

ଭୂତଳେ ନାହିଁ ଘନ! ତାହା ଉପମା,

 

ସ୍ୱର୍ଗର କାନ୍ତିମାନ ଖଣ୍ଡ ସ୍ଖଳିତ

 

ପ୍ରାୟେ ଦିଶଇ ପୁରୀ ସୌଧରାଜିତ

। ୨୬୮ ।

ଯହିଁ ପ୍ରତ୍ୟୁଷେ ସିପ୍ରାନ‌ଦୀ ପବନ

 

ଦ୍ୱିଗୁଣିତ କରଇ ହଂସ କୂଜନ,

 

ପ୍ରଫୁଲ୍ଲ ସରସିଜ ସୌରଭ ହରି

 

ସେବଇ ଅଙ୍ଗନାଙ୍କୁ ମନ୍ଦେ ସଞ୍ଚରି

। ୨୭୨ ।

କ୍ଳାନ୍ତ କାମିନୀକୁଳ ନିଶି ଜାଗରେ

 

ଅନୂକୁଳ ସମୀର ସେ କ୍ଳାନ୍ତି ହରେ,

 

ନିତମ୍ବନୀଳାମ୍ବର ମ୍ବଦ ଧୂନାଇ

 

ଦୟିତ ପ୍ରାୟେ କେତେ ଚାଟୁ କରଇ

। ୨୭୬ ।

କେଶ ସଂସ୍କାର ଧୂପ ଗବାକ୍ଷଦ୍ୱାରେ

 

ବାହାରି ମିଶୁଥିବ ତୋହୋ କାୟାରେ,

 

ନାଚିବେ ତୋ ଦର୍ଶନେ ଗୃହ ମୟୂର

 

ଗଭୀର କେକାରବେ ପୂରିବ ପୁର

। ୨୮୦ ।

କୁସୁମ-ଶୋଭି-ସୌଧପୃଷ୍ଠ-ଆସନେ

 

ପଥଶ୍ରମ ଶମିବୁ ସୁଖ-ଶୟନେ,

 

ସୀମନ୍ତିନୀପଦାଙ୍କ ତ‌ହିଁ ଉପରେ

 

ଦେଖିବୁ, ହର୍ମ୍ୟେ ଯେହ୍ନେ ରକ୍ତିମା ଝରେ

। ୨୮୪ ।

 

 

ସିପ୍ରା – ଆଧୁନିକ ନାକ ପସରା ।

 

ଉଜ୍ଜୟିନୀ ସନ୍ନିଧେ ଶିବସଦନ

 

ଅତି ପବିତ୍ର ଧାମ ଲୋକପାବନ,

 

ଗନ୍ଧବତୀ ତଟିନୀ ବ‌ହଇ ପାଶେ

 

କୁବଳୟ ସୁରଭି ସମୀର ଶ୍ୱାସେ

। ୨୮୮ ।

ଜଳେ କ୍ରୀଡ଼ନ୍ତି ତ‌ହିଁ କେତେ ସୁନ୍ଦରୀ

 

ନୀଳ ତମାଳେ ଯେହ୍ନେ ସ୍ୱର୍ଣ୍ଣବଲ୍ଲରୀ,

 

ହରକଣ୍ଠ ବରଣ ରାଜେ ତୋ ଦେହେ

 

ଚାହିଁବେ ଶିବଗଣ ତୁମ୍ଭଙ୍କୁ ସ୍ନେହେ

। ୨୯୨ ।

ପୂର୍ବ କଥିତ ମହାକାଳ ନିଳୟେ (୧)

 

ହେବୁ ପ୍ରବେଶ ଯେବେ ଆନ ସମୟେ,

 

ନାଳିନୀସଖାଙ୍କର ଅସ୍ତଗମନ-

 

ଯାଏ ଅନାଇ ତ‌ହିଁ ରହିବୁ ଘନ !

। ୨୯୬।

ସନ୍ଧ୍ୟା ଆଗମେ ତୋର ଧ୍ୱନି ଗଭୀର

 

ପୂଜାପଟ‌ହ ପ୍ରାୟେ ମନ୍ଦ୍ରେ, ମନ୍ଦିର

 

ଝଙ୍କାରି ସନ୍ତୋଷିବ ଶିବଶ୍ରବଣ,

 

ଶ୍ଳାଘ୍ୟ ସଫଳ ତ‌ହୁଁ ହେବ ଗର୍ଜନ

। ୩୦୦ ।

ମନ୍ଦିର ପାର୍ଶ୍ୱେ ବାରବାଳାନିକର

 

ରତ୍ନ-ଛାୟା-ଖଚିତ ଗରୁ ଚାମର,

 

ଘେନିଣ ବିଞ୍ଚୁଥିବେ ଲୀଳାବ୍ୟଜନେ;

 

ସିଞ୍ଚିବୁ ତାଙ୍କୁ ନବ ସଲିଳ-କଣେ

। ୩୦୪ ।

ଭ୍ରମର-ରାଜି ରମ୍ୟ ନୟନେ ଚାହିଁ

 

ତୋ ମନ ନୀରଧର! ନେବେ ଭୁଲାଇ,

 

ତୋ ଶ୍ରବଣ ତୋଷିବ ରମ୍ୟ ଶିଞ୍ଜିତ

 

ବୀଣା-ଝଙ୍କାର-ଗଞ୍ଜି ମଧୁସଙ୍ଗୀତ

। ୩୦୮ ।

ମଣ୍ଡଳାକାରେ ଘେରି ତରୁ କାନନ

 

ଶୋଭିବ ଉଚ୍ଚେ ତ‌ହିଁ ଘୋଟି ଗ‌ଗନ,

 

ସନ୍ଧ୍ୟା ସିନ୍ଦୂରରାଗେ ହୋଇ ରଞ୍ଜିତ

 

ଦିଶିବ ନବ-ଜବା ପ୍ରାୟେ ଲୋହିତ

। ୩୧୨ ।

ନର୍ତ୍ତନ କାଳେ ଶିବ ତୋତେ ଚାହିଁବେ

 

ଆର୍ଦ୍ର-ଗଜ-ଅଜିନ ଲାଜେ ତ୍ୟଜିବେ,

 

ଭବସୁନ୍ଦରୀ ଦେଖି ତୋର ଭକତି

 

ସୁଆଶିଷ କରିବେ ହରଷେ ସତୀ

। ୩୧୬ ।

ରଜନୀକାଳେ ଦାଣ୍ଡେ କେତେ ଯୁବତୀ

 

ଉଦ୍‌ବେଗେ ଯାଉଥିବେ କାନ୍ତବସତି,

 

ଘୋର ଅନ୍ଧାରେ ମାର୍ଗ ଦିଶିବ ନାହିଁ

 

କମ୍ପିବେ ଭୟେ ଚଉଦିଗେ ଅନାଇ

। ୩୨୦ ।

ତୋ ସଙ୍ଗେ ଥିବ ପ୍ରଭାମୟୀ ତଡ଼ିତ

 

ଏକାଳେ ବାଳାଙ୍କର ସାଧିବେ ହିତ,

 

ଘନ! ମୁଞ୍ଚିବୁ ନାହିଁ ଭୀମ ନିନାଦ

 

ନାଦ ମଣିବେ ବାମା ଘୋର ପ୍ରମାଦ

। ୩୨୪ ।

କ୍ଳାନ୍ତ ହେଲେ ତଡ଼ିତ ଚିରନର୍ତ୍ତନେ

 

ଥୋଇବୁ ଅବଳାକୁ କ୍ରୋଡ଼ଶୟନେ,

 

ଚନ୍ଦ୍ରଶାଳାରେ ଯାପି ଶେଷ ରଜନୀ

 

ଶେଯ ତ୍ୟଜିବୁ ଶୁଣି କପୋତଧ୍ୱନି

। ୩୨୮ ।

ଫିଟାଇ ପୂର୍ବ ଆଶା ସ୍ୱର୍ଣ୍ଣତୋରଣ

 

ମୌକ୍ତିକବ୍ରଜେ ପଦ୍ମକରେ ବ‌ହ‌ନ,

 

ବୁଣିବ ରଙ୍ଗେ ଯେବେ ଉଷାରଙ୍ଗଣୀ

 

ସେ ସମୟ ଛାଡ଼ିବୁ ତୁ ଉଜ୍ଜୟିନୀ

। ୩୩୨ ।

 

 

(୧) ଉଜ୍ଜୟିନୀରେ ମହାକାଳ ମହାଦେବଙ୍କ ମନ୍ଦିର ଅବସ୍ଥିତ।

 

ପ୍ରାତେ ଖଣ୍ଡିତା ପାଶେ ନାୟକ ଆସି

 

ସ୍ନେହେ ପୋଛନ୍ତି ନେତ୍ରସଲିଳ ରାଶି,

 

ଏଣୁ ନଳିନୀ-ପଦ୍ମ-ନୟନ ନୀର

 

ପୋଛିବେ ନିଜ କରେ କାନ୍ତ ମିହିର

। ୩୩୬ ।

ଏକାଳେ ତାଙ୍କ ମାର୍ଗ ରୋଧିବୁ ନାହିଁ

 

ଗତି କରିବୁ ବ‌ହୁ ଦୂରରୁ ଥାଇ,

 

ମାର୍ଗ ରୋଧିଲେ ନିଶ୍ଚେ ରୋଷିବେ ହରି

 

ଏଣୁ କରିବୁ କାର୍ଯ୍ୟ ମୋ ବାଣୀ ସ୍ମରି

। ୩୪୦ ।

ସୁଗଭୀର ଗମ୍ଭୀରା ନ‌ଦୀ ଜୀବନ

 

ନିତ୍ୟ ପ୍ରସନ୍ନ ଯେହ୍ନେ ମହତ ମନ,

 

ଦେଖିବୁ ଘନ! ନ‌ଦୀ-ଦର୍ପଣ-ତଳେ

 

ନିଜ ମୂରତି ବ‌ହୁ ଯୋଜନ ତଳେ

। ୩୪୪ ।

ମାର୍ଜିତ ହୀରା-ଖଣ୍ଡ ପ୍ରାୟେ ସଫରୀ

 

ଚ‌ଞ୍ଚଳେ ଖେଳୁଥିବ ନୀରେ ସଞ୍ଚରି,

 

ତଟିନୀ ନେତ୍ରମାଳ ପ୍ରାୟେ ଦିଶିବେ

 

ଉନ୍ମେଷ କଲା ପ୍ରାୟେ ବୁଡ଼ି ଭାସିବେ

। ୩୪୮ ।

ତୀରଜଘନୁଁ ନୀଳ ସଲିଳବାସ

 

ସ୍ରସ୍ତ ଦେଖି ଅନ୍ତରେ ହେବ ଉଲ୍ଲାସ,

 

ଲମ୍ବମାନ ହୋଇଣ ନ‌ଦୀ ଉପରେ

 

ଧରିବ ନୀଳବାସ ବେତସକରେ

। ୩୫୨ ।

ବନ୍ଧୁ ମାଗୁଣି ପୁଣି ହେଲେ ସ୍ମରଣ

 

ହୋଇବ ଅତି କଷ୍ଟେ ତ‌ହୁଁ ଗମନ,

 

ଯେହୁ ଲଭିଛି ଘନ! ସେ ରସ ସ୍ୱାଦ,

 

ପ୍ରସ୍ତୁତ ରସେ ବିଘ୍ନ ଗଣେ ପ୍ରମାଦ

। ୩୫୬ ।

ସମ୍ପ୍ରତି ଦେବଗିରି ଦିଶେ ଅଗ୍ରତେ

 

ବେଗେ ଯାଅ ଜଳଦ! ସେ ପରବତେ,

 

ନବ-ଆସାର-ସିକ୍ତ ମୃତ୍ତିକା-ବାସେ

 

ସୁରଭି ଶୀତ ବାୟୁ ସନ୍ତାପ ନାଶେ

। ୩୬୦ ।

ଶୁଣ୍ଢେ ପିଅନ୍ତି ଦନ୍ତୀ ସେ ସମୀରଣ

 

ତ‌ହୁଁ ଉପୁଜି ସ୍ୱନ ତୋଷେ ଶ୍ରବଣ,

 

ଉଡୁମ୍ବର ଫଳ ଏ ବାୟୁ ପରଶେ

 

ପରିପୂର୍ଣ୍ଣ ହୁଅଇ ମଧୁର ରସେ

। ୩୬୪ ।

ସେ ନ‌ଗେ ନିବସନ୍ତି କାନ୍ତ କୁମାର, (୧)

 

ପୁଷ୍ପମିଶ୍ରିତ-ବ୍ୟୋମ-ଗଙ୍ଗା ଆସାର,

 

ବରଷି ଧୋଇବୁ ତୁ ସେ କଳେବର,

 

ସୁଲଳିତ ଚମ୍ପକ ପ୍ରାୟେ ସୁନ୍ଦର

। ୩୬୮ ।

ବାସବୀସୈନ୍ୟଦଳ ରକ୍ଷା କାରଣେ

 

ଶଙ୍କର ବିସର୍ଜିଲେ ତେଜ ଦ‌ହ‌ନେ,

 

ତ‌ହୁଁ ସମ୍ଭବି ଶୂର ଶିଖିବାହ‌ନ

 

କୋଦଣ୍ଡ ଧରି କଲେ ଦୈତ୍ୟ ନିଧନ

। ୩୭୨।

ବାହ‌ନ-ଶିଖି ବସିଥିବ ଶିଖରେ

 

ଧଳା ଅପାଙ୍ଗ ହର-ଚନ୍ଦ୍ରମାକରେ,

 

ପୁତ୍ରବତ୍ସଳା ଯାର ଚନ୍ଦ୍ରକ ଘେନି

 

ଭୂଷନ୍ତି ହୈମ‌ବତୀ ଶ୍ରବଣ ବେନି

। ୩୭୬ ।

କାନ୍ତି-ବଳୟ ଚାରୁ ଚନ୍ଦ୍ରକ ଧରି

 

ଦିଶନ୍ତି ରମ୍ୟତର ହର-ସୁନ୍ଦରୀ,

 

ନୀଳ କୁମୁଦ ପ୍ରାୟେ ବର୍ହ ଲମ୍ବଇ

 

ଇନ୍ଦ୍ରନୀଳ ଭୂଷଣ ଶୋଭା କଳଇ

। ୩୮୦ ।

ନୀରଦ! ମନ୍ଦ୍ର-ନାଦ ଶୁଣି ତୋହର

 

ନାଚିବ ପୁଚ୍ଛ ଟେକି ସେ ଶିଖିବର;

 

ଶୈଳକନ୍ଦରେ ପଶି ସେ ନାଦ ପୁଣ

 

ଗମ୍ଭୀର ପ୍ରତିନାଦେ ହେବ ଦ୍ୱିଗୁଣ

। ୩୮୪।

 

 

(୧) କୁମାର - କାର୍ତ୍ତକେୟ ।

 

କୁମାର ପୂଜା ଅନ୍ତେ ନଭପ୍ରାଙ୍ଗଣେ

 

ଉଠ ଜୀମୂତ-ଇନ୍ଦ୍ର! ମନ୍ଦ୍ରନିଃସ୍ୱନ;

 

ହେମ‌ବିମାନ‌ଚାରୀ ସିଦ୍ଧ‌ଯୁଗଳ

 

ପଥ ଛାଡ଼ିବେ ଜଳ ଭୟେ ବିହ୍ୱଳ

। ୩୮୮ ।

ସିଦ୍ଧରଙ୍ଗିଣୀ-ବୀଣା-ତନ୍ତ୍ରୀ-ଝଙ୍କାର

 

ଶୁଣି ଲଭିବ ନଭେ ମୁଦ ଅପାର;

 

ରନ୍ତି-ଭୂପତି କୀର୍ତ୍ତି ଗୋମତୀ ନଈ

 

ସଲିଳରେଖା ଏବେ ନେତ୍ର ହରଇ

। ୩୯୨ ।

କ‌ଜ୍ଜଳନିଭ ଅଟେ ତୋହୋ ଶରୀର

 

ବିମଳ ଶୁଭ୍ର କାନ୍ତି ଗୋମତୀ ନୀର,

 

ଅବତରିବୁ ଯେବେ ସେ ନ‌ଦୀଜଳେ,

 

ସୁରେ ଦେଖିବେ ଥାଇ ଗ‌ଗନ ତଳେ

। ୩୯୬ ।

ବିଦ୍ୟାଧରୀ ନିକର ଦୂରୁଁ ଚାହିଁବେ

 

ବାମନୟନା ନିଶ୍ଚେ ଏହା ମଣିବେ,

 

ଧରା ଉପରେ ମୋତିହାର ରାଜିତ

 

ସେ ହାର ମଧ୍ୟେ ଇନ୍ଦ୍ରମଣି ଗୁମ୍ଫିତ

। ୪୦୦ ।

ଯାଅ ଉତ୍ତରେ ରମ୍ୟ ଗୋମତୀ ତରି

 

ବରବର୍ଣ୍ଣିନୀ ଦଶପୁର ନାଗରୀ,

 

କୁତୂହଳେ ଚାହିଁବେ ତୋତେ ଆକାଶେ

 

ମୋହିବେ ଚିତ୍ତ ତୋର ମଧୁର ହାସେ

। ୪୦୪ ।

ପକ୍ଷ୍ମବିକ୍ଷେପ-ଜାତ ସ୍ନିଗ୍‌ଧ ନୀଳିମା

 

କଳିବ କୃଷ୍ଣସାର ପ୍ରଭା ଗରିମା,

 

କଳା ଡୋଳା ଲଳିତ ବାଳା ଲୋଚନେ

 

ଦିଶିବ କୁନ୍ଦଦଳେ ଭୃଙ୍ଗ ଯେସନେ

। ୪୦୮ ।

ବ୍ରହ୍ମାବରତେ (୨) ନଭେ ହୋଇ ଉଡ୍ଡୀନ

 

କୃଷୀ-ବଳଙ୍କୁ ଛାୟାଦାନେ ତୋଷିଣ,

 

ତ‌ହୁଁ କୌରବକ୍ଷେତ୍ରେ ଯିବୁ ତ୍ୱରିତେ

 

ଧରା ଲୋହିତ ଯହିଁ କ୍ଷତ୍ରଶୋଣିତେ

। ୪୧୨ ।

ଗର୍ଜି ପ୍ରଚଣ୍ଡେ ସିଞ୍ଚି ଘନ ଅସାର

 

ଯେହ୍ନେ କମଳବଂଶ କରୁ ସଂହାର,

 

ଗାଣ୍ଡୀବୀ ସେହି ରୂପେ କୁରୁ ସମରେ

 

ସିଞ୍ଚିଲେ ନୃପକୁଳ ଆନନ ଶରେ

। ୪୧୬ ।

ସରସ୍ୱତୀ ସରିତ ସୁସ୍ୱାଦୁ ଜଳ

 

ସେବି ହୋଇବ ତୋର ହୃଦ ନିର୍ମଳ,

 

ସରସ୍ୱତୀ ମହିମା ଲୋକେ ବିଦିତ

 

ସରସ୍ୱତୀ ମୋହିଲା ମୂଷଳି-ଚିତ୍ତ

। ୪୨୦ ।

ରେବତୀ ସଙ୍ଗେ ସେହୁ ମଦିରାରସ-

 

ପାନେ ନିରତେ ହେଉଥିଲେ ହରଷ,

 

ବିମୁଖ ହୋଇଣ ସେ ଭାରତ ରଣେ

 

ବସିଲେ ଏ ତଟିନୀ ତୀର କାନନେ

। ୪୨୪ ।

କନ‌ଖଳ ପ୍ରଦେଶ (୩) ଛାଡ଼ି ଉତ୍ତରେ

 

କର ନୀରଦ! ଗତି ଖର ଅମ୍ବରେ,

 

ପର୍ବତରାଜ ହିମ-ପର୍ବତୁଁ ଯହିଁ

 

ଧବଳଗଙ୍ଗା ସ୍ରୋତ ଅବତରଇ

। ୪୨୮ ।

ସଗରବଂଶ-ସ୍ୱର୍ଗ-ସୋପାନ-ରାଜି

 

ପ୍ରାୟେ ଦିଶଇ ଗଙ୍ଗା ନ‌ଗେ ବିରାଜି,

 

ଧୂର୍ଜଟୀ ଜଟାକୂଟେ ବ‌ହି ଝର୍ଝରେ

 

ଧରଇ ବାଳଚନ୍ଦ୍ର ତରଙ୍ଗ କରେ

। ୪୩୨ ।

୧ । ରନ୍ତିଦେବଙ୍କ ଅନୁଷ୍ଠିତ ଗୋମେଧଯଜ୍ଞରୁ ଗୋମତୀ ଜାତ ହୋଇଥିବା କଥା ପୁରାଣରେ-ପ୍ରସିଦ୍ଧ ,୨ । ବ୍ରହ୍ମାବର୍ତ୍ତ – ସରସ୍ୱତୀ ଓ ଦୃଷଦ୍‌ବତୀ ନଦୀର ଅନ୍ତର୍ବର୍ତ୍ତୀ ପ୍ରଦେଶ ୩ । କନଖଳ – ହରିଦ୍ୱାରର ଚତୁଷ୍ପାର୍ଶ୍ୱବର୍ତ୍ତୀ ପ୍ରଦେଶ

ତ‌ହୁଁ ଭ୍ରୂକୁଟି ବ‌ହେ ଉମା ଆନନ

 

ରୁଷ୍ଟ ସପତ୍ନୀ-ସୁଖେ ସପତ୍ନୀ ମନ;

 

ଧବଳ ଫେନ ଛଳେ ଜାହ୍ନବୀ ହସେ,

 

ଈର୍ଷା ଅନଳେ ଜଳେ ଉମା ମାନସେ

। ୪୩୬ ।

ସ୍ୱଚ୍ଛ ସ୍ଫଟିକ ପ୍ରାୟେ ଜାହ୍ନବୀ ବାରି

 

ଆକାଶୁ ପିଇବୁ ତୁ କାୟା ପ୍ରସାରି,

 

ପିଅଇ ନୀର ସୁରକରୀ ଯେସନେ

 

ବକ୍ରଭାବରେ ଝୁଲୁଥିବ ଗ‌ଗନେ

। ୪୪୦ ।

ଲହରୀ ଖେଳୁଥିବ ମନ୍ଦ ଅନିଳେ

 

ପଡ଼ିବ ତୋର ଶ୍ୟାମ ଛବି ସଲିଳେ,

 

ଅସ୍ଥାନେ ଭାନୁସୁତା ଲହରୀ-ହାର

 

ମିଶିଲା ପ୍ରାୟେ ଶୋଭା ହେବ ଉଦାର

। ୪୪୪ ।

ତୁଷାର-ଗୌର ହିମଗିରି ମସ୍ତକେ

 

ବସି ଶମିବୁ ମାର୍ଗ-ଶ୍ରମ ପୁଲକେ,

 

କସ୍ତୂରିକା-କୁରଙ୍ଗ ଆଙ୍ଗ ପରଶେ

 

ସୁରଭିତ ଶିଳା ସେ ଶୈଳ ଉରସେ

। ୪୪୮ ।

ଶଶିଶେଖର-ଶ୍ୱେତ-ବୃକ୍ଷ ବିଷାଣ

 

ଦେହେ ଉତ୍କଖାତ ଯେହ୍ନେ ପଙ୍କପିଧାନ,

 

ମୂରତି ତୋର ନୀଳ କଜ୍ଜ୍ୱଳନିଭ

 

ଶିଖରେ ବିରାଜି ସେ ଶୋଭା ବଳିବ

। ୪୫୨ ।

ସରଳ ଦ୍ରୁମେ ଯେବେ ଶାଖା ଘର୍ଷଣେ

 

ଜ୍ୱଳିବ ବ‌ହ୍ନି, ବାୟୁ ବ‌ହି ଭୀଷଣେ,

 

କନ‌କ‌କାନ୍ତି ଅଗ୍ନି ଶିଖା ଦୀପିବେ,

 

ଗ‌ହ୍ୱରୁଁ ଚମରୀଙ୍କୁ (୧) ବେଗେ ତଡ଼ିବେ

। ୪୫୬ ।

ଅନଳ ଯୋଗେ ଚାରୁ-ପୁଚ୍ଛ ଚାମର

 

ଜ୍ୱଳି କରିବା ତାଙ୍କୁ ତ୍ରାସେ କାତର,

 

ଡେଇଁ ପଡ଼ିଲା ପ୍ରାୟେ ଦାବ-ଦ‌ହ‌ନ

 

ଦ୍ରୁମୁଁ ଦ୍ରୁମେ ଲଗନ ହେବେ ବ‌ହନ

। ୪୬୦ ।

ବ‌ହ୍ନି ଉପରେ ସିଞ୍ଚି ନବ-ଆସାର

 

ଗିରି-ପ୍ରାଣୀ-ଜୀବନ କର ଉଦ୍ଧାର;

 

ଦୋଷହୀନ ଜନର ହେଲେ ବିପଦ

 

ବିପଦୁଁ ନିସ୍ତାରଇ ସାଧୁ ସମ୍ପଦ

। ୪୬୪ ।

ଗାତ୍ରଭଙ୍ଗ ସକାଶେ ତ‌ହିଁ ଶରଭେ

 

ଶିଖରିଶୃଙ୍ଗେ ଡେଉଁଥିବେ ଗରବେ,

 

ଧରିବାପାଇଁ ତୋତେ ହେବେ ଉତ୍ସୁକ

 

ତ୍ୱରିତେ କରିବୁ ତୁ ତାଙ୍କୁ ବିମୁଖ

। ୪୬୮ ।

ଅବ‌ହେଳେ ଧବଳ କରକା-ହାସେ

 

ପଳାଇବେ ଶରଭେ ଦୂରୁଁ ତରାସେ,

 

ନିଷ୍ଫଳ କର୍ମେ ଯାର ମନ ଦୀକ୍ଷିତ,

 

ପରଠାରେ ନିଶ୍ଚେ ସେ ହୁଏ ଲଜ୍ଜିତ

। ୪୭୨ ।

ତ୍ରିଶୂଳୀ-ପଦ-ଚିହ୍ନ ତ‌ହିଁ ପ୍ରସ୍ତରେ

 

ବିମଣ୍ଡିତ କାନନଜାତ ପୁଷ୍ପରେ,

 

ଦେଖି ବାରିଦପତି! କରିବୁ ନତି

 

ବିଫଳ ନୋହେ ଶିବପାଦେ ଭକତି

। ୪୭୬ ।

ଗିରି-ନିବାସି-ମୁନି ହର ଚରଣ

 

ପୂଜନ୍ତି ନିତ୍ୟ ଶାନ୍ତିରସେ ମଗନ

 

ଏ ପାଦେ ଭକ୍ତି ଥିଲେ କଳୁଷ ନାଶ

 

ହୋଇ ସୁଖରେ ଅନ୍ତେ ସ୍ୱରଗେ ବାସ

। ୪୮୦ ।

ଘନ କୀଚକରାଜି, ବାୟ ପୂରିତ

 

ବଂଶୀ ବାଜିଲା ପ୍ରାୟେ ହୁଏ ନାଦିତ,

 

ତ୍ରିପୁରର-ଜୟ-ଗୀତ ମଧୁର ସ୍ୱରେ

 

କିନ୍ନରୀ-କୁଳ-କଳ-କଣ୍ଠୁଁ ନିଃସରେ

। ୪୮୪ ।

 

 

(୧) ଚମରୀ ଗୋ – ହିମାଳୟରେ ଏବଂ ତିବ୍‌ବତରେ ଅନେକ ଦେଖାଯାନ୍ତି।

 

ତୋ ନାଦେ ମୁଖରିତ କନ୍ଦରବ୍ରଜ

 

ମୁଞ୍ଚିବ ମନ୍ଦ୍ରନାଦ ଯେହ୍ନେ ମୁରଜ;

 

ସଂଗୀତ ଅଭିଳାଷ ବାମଦେବର

 

ଚରିତାର୍ଥ କରିଣ ଲଭିବୁ ବର

। ୪୮୮ ।

ହିମାଦ୍ରି ତଟେ ସବୁ କରି ଦର୍ଶନ

 

ଶୀଘ୍ର କର ଉଦୀଚୀ ଅନୁସରଣ,

 

କ୍ରୌଞ୍ଚ-ରନ୍ଧ୍ର ଭେଦିଣ ଶୈଳଶରୀରେ

 

ଲଭିଲେ ରାମ ନିତ୍ୟ ଯଶଃ ମହୀରେ (୧)

। ୪୯୨ ।

ମାନସରକୁ ବେଗେ ବରଷାଗମେ

 

ଏମାର୍ଗେ ହଂସେ ଯାନ୍ତି ଉଡ଼ି ସଂଭ୍ରମେ,

 

ତିର୍ଯ୍ୟକେ ରନ୍ଧ୍ର ଦେଇ ଉତ୍ତରେ ଯିବ,

 

ହଂସ ଅଗ୍ରତେ ଦେଖି ମାର୍ଗ କଳିବ

। ୪୯୬ ।

ବଳିଛଳନ ବେଳେ ପ୍ରଭୁ ବାମନ

 

ଯେ ପାଦ ବିସ୍ତାରିଲେ ଘୋଟି ଗ‌ଗନ,

 

ସେ ପାଦ ବରଶୋଭା ଲଭିବୁ ଭଲେ

 

ସେ ରନ୍ଧ୍ର ମାର୍ଗେ ଯେବେ ଯିବୁଚଞ୍ଚଳେ

। ୫୦୦ ।

ତ‌ହୁଁ ଊର୍ଦ୍ଧ୍ୱେ ରାଜଇ କୈଳାସଗିରି

 

ନବ ପ୍ରଫୁଲ୍ଲ-ଶ୍ୱେତ-କୁମୁଦ-ଶିରୀ,

 

କିଅବା ରାଶୀଭୂତ ତ୍ର୍ୟମ୍ବକ-ହାସ,

 

ତାରାମାଳ ଚୁମ୍ବଇ ବ୍ୟାପି ଆକାଶ

। ୫୦୪ ।

ଦୁର୍ଦଣ୍ଡ ଦଶଗ୍ରୀବ ରୋଷେ ହୁଂକାରି

 

ଝିଙ୍କିଲା ଶୈଳ ଯେବେ ଭୁଜ ପ୍ରସାରି,

 

ନାଗେ ନରେ, ଅମର କମ୍ପିଲେ ତ୍ରାସେ

 

ମିଳିଲା ଅମ୍ବୁରାଶି ଊର୍ମି ଆକାଶେ

। ୫୦୮ ।

ଗମ୍ଭୀର ବଜ୍ରଘୋଷେ ଘୋଷି କନ୍ଦର

 

ପଳାଇଲେ ଜୀମୂତେ ଛାଡ଼ି ଭୁଧର,

 

ଗର୍ଜିଲେ ପ୍ରଭଞ୍ଜନ, ହେଲା ଅନ୍ଧାର

 

ଉଡ଼ିଲା ସ୍ତୂପାକାର ସାନ୍ଦ୍ର ତୁଷାର

। ୫୧୨ ।

ଆତଙ୍କେ ଗିରିବାସୀ ଗଉରୀ-ସାଇଁ-

 

ପାଦେ ଶରଣ ବେଗେ ପଶିଲେ ଯାଇଁ,

 

ହସିଲେ ତ‌ହୁଁ ପ୍ରଭୁ ଭକ୍ତ-ବତ୍ସଳ

 

ଅଚଳ ପୂର୍ବପରି ହେଲା ଅଚଳ

। ୫୧୬ ।

ସୁରବନିତାବ୍ରଜ ନଭୋମଣ୍ଡଳେ

 

ଭ୍ରମନ୍ତି ଯେବେ, ଗିରିମୁକୁର-ତଳେ,

 

ପଡ଼ଇ ପ୍ରତିବିମ୍ବ ନେତ୍ରରଞ୍ଜନ,

 

ସେ ଦର୍ପଣେ ସ୍ୱମୁଖ ଦେଖିବୁ ଘନ

। ୫୨୦ ।

ଦଳାଞ୍ଜନପ୍ରଭା ବୋଳା ପରାୟେ

 

ତୋ ଦେହ ନୀଳ-କାନ୍ତି ପ୍ରକାଶୁଥାଏ,

 

ଧଳା କୈଳାସ ଦେହେ ହେଲେ ଲଗନ

 

ଦିଶିବ ଧରାଧର ଶୋଭା ଯତନ

। ୫୨୪ ।

ଅମରେ ସ୍ଥିର ନେତ୍ରେ ଥିବା ଅନାଇ

 

ଏଡ଼େ ବିଚିତ୍ର ଦୃଶ୍ୟ ଭୁତଳେ କାହିଁ?

 

ନୀଳବସନେ ହଳିସ୍କନ୍ଧ ଯେସନ, (୨)

 

ଦିଶିବ ହରଶୈଳ ରମ୍ୟ ତେସନ

। ୫୨୮ ।

ପାର୍ବତୀ କାନ୍ତ କର ଧରି ସ୍ୱକରେ

 

ପଦବ୍ରଜରେ ଚଢ଼ୁଥିବେ ଭୁଧରେ,

 

ସ୍ତମ୍ଭିତ କରି ନିଜ ସଲିଳରାଶି

 

ତଦ୍‌ଗତ‌ହୃଦୟରେ ଭକ୍ତି ପ୍ରକାଶି

। ୫୩୨ ।

 

 

(୧) କ୍ରୌଞ୍ଚ-ରନ୍ଧ୍ର – ପରଶୁରାମଙ୍କ କୀର୍ତ୍ତିବିଶେଷ। ଏହା ସମ୍ଭବତଃ ଗୋଟିଏ ଟନେଲ୍।

(୨) ହଳୀ - ବଳରାମ

 

ଅଗ୍ରତେ ଗାତ୍ରଭଙ୍ଗେ ହୋଇ ଶୟାନ

 

ସେବିବୁ ଯେହ୍ନେ ଇନ୍ଦ୍ରନୀଳ ସୋପାନ;

 

ନ‌ଗେନ୍ଦ୍ରବାଳା ପଦ୍ମପାଦ‌ଯୁଗଳ

 

ଛୁଇଁ ଦେହ ଧାରଣ ହେବ ସଫଳ

। ୫୩୬ ।

ତ‌ହିଁ ସୁର‌ଯୁବତୀ ନିତ୍ୟ ଚପଳା

 

ଘଷି ତୋ ଦେହେ ଚାରୁହୀରକବାଳା,

 

ତୋ ଶରୀରୁଁ ନିଃସୃତ ନୀର ଲଭିବେ

 

ଜଳ‌ଯନ୍ତ୍ର ପରାୟେ ତୋତେ ମଣିବେ

। ୫୪୦ ।

ଛାଡ଼ି ନଦେବେ ଯେବେ ବାଳାନିକର

 

ସଲିଳ ଦାନେ ଯେବେ ହେବ କାତର,

 

ମୁଞ୍ଚିବ ହେ ନୀରଦ! ଗମ୍ଭୀର ନାଦ,

 

ଅବଳା ପଳାଇବେ ଗଣି ପ୍ରମାଦ

। ୫୪୪ ।

ହେମକମଳଛନ୍ନ ମାନସନୀର

 

ଘେନି ହୋଇବେ ତୋର ଚାରୁ ଶରୀର,

 

ସୁରେନ୍ଦ୍ର-କରି-କର ରଙ୍ଗେ ଘୋଡ଼ାଇ

 

ନବସଲିଳେ ତାର ପ୍ରୀତି ବଢ଼ାଇ

। ୫୪୮ ।

ଶୀକରସୁଶୀତଳ ମନ୍ଦ ପବନେ

 

କମ୍ପାଇ କଳ୍ପତରୁ-ପଲ୍ଲବ ବନେ,

 

ସ୍ଫଟିକ-ଗୌର ତନୁ ସେ ମହୀଧରେ

 

ପ୍ରବେଶିବୁ ନୀରଦ! ପରମାଦରେ

। ୫୫୨ ।

ନାଗର ଉତ୍ସଙ୍ଗେ ଯେହ୍ନେ ନାଗରୀ

 

ସେ ଗିରି ଉରସେ ରମ୍ୟ ନ‌ଗରୀ,

 

ଜାହ୍ନବୀ-ଦୁକୂଳସ୍ରସ୍ତଜଘନେ,

 

ଅଳକା ଅଗ୍ରତେ ଦିଶେ ନୟନେ

। ୫୫୬ ।

ଭବେ ଅତୁଳ ସେ ପୁରୀ ହେ,

 

ନିଶ୍ଚେ ବିମୋହିତ, ହେବ ତୋ ଚିତ୍ତ

 

ଦେଖି ତା ରୂପମାଧୁରୀ ହେ।

 

ଜଳଧରକାଳେ ଘନନିକର

 

ଆବରି ଅଳକା ସୌଧଶିଖର

। ୫୬୦ ।

କାମିନୀ-ଚିକୁର-ଶ୍ୟାମମୂରତି,

 

ମୁଞ୍ଚି ନବନୀରବିନ୍ଦୁ ପଙ୍କତି,

 

ଅଳକା ଶିର ଭୂଷଇ ହେ,

 

ମୁକୁତାଖଚିତ, ରୁଚିର ରଚିତ,

 

ବାମା ଅଳକ କଳଇ ହେ

। ୫୬୪ ।

 

 

ଉତ୍ତରମେଘ

(ରାଗ‌- କଳହଂସକେଦାର)

 

ଅଳକା ହର୍ମ୍ମ୍ୟେ ରାଜେ ନବ ଯୋଷିତ

 

ତୋ ଅଙ୍ଗେ ନୀରଧରସ୍ୱର୍ଣ୍ଣ ତଡ଼ିତ;

 

ଅଳକା ସୌଧେ ଚିତ୍ର ମୋହେ ନୟନ

 

ଇନ୍ଦ୍ରକୋଦଣ୍ଡ ତୋର ଅଙ୍ଗେ ଯେସନ

। ୪ ।

ତୋ ସ୍ନିଗ୍‌ଧ ମନ୍ଦ୍ରନାଦ ପରାଏ ତ‌ହିଁ

 

ମୁରଜ ମନ୍ଦ୍ରନାଦ ନିତ୍ୟ ସ୍ଫୁରଇ;

 

ଉଜ୍ଜ୍ୱଳ ମଣି-ରଶ୍ମି ପ୍ରାଙ୍ଗଣେ ତାର

 

ଯେସନେ ଗର୍ଭେ ତୋର ଶୁକ୍ଳ ଆସାର

। ୮ ।

ପୁଷ୍ପଭୂଷଣପ୍ରିୟ ନାଗରୀ ଦଳ-

 

କରେ ଶୋଭଇ ଯହିଁ ଲୀଳାକମଳ,

 

ଅଳକେ କୁନ୍ଦକଳି ରାଜେ ମୋହ‌ନ

 

ଲୋଧ୍ର ପରାଗେ ପାଣ୍ଡୁଚାରୁ ଆନନ

। ୧୨ ।

ରମ୍ୟ ଶିରୀଷେ ଶୋହେ ଶ୍ରବଣ-ମୂଳ

 

ସୀମନ୍ତେ ଶୋହେ ନବ କଦମ୍ବ ଫୁଲ,

 

ବକୁଳମାଳ-ଶୋଭି ଘନ‌ଜଘନ

 

ମନ୍ଦାର-ଶୋଭି କେଶ ଚୁମ୍ବେ ଚରଣ

। ୧୬ ।

ନିତ୍ୟ କୁସୁମ ଯହିଁ ତରୁନିକରେ

 

ନିତ୍ୟ ମୁଖର ମଧୁକର ଗୁଞ୍ଜରେ,

 

ରାଜ‌ହଂସ-ରସନା ସରସୀକୁଳ

 

ଫୁଲ୍ଲପଙ୍କଜ-ବ୍ରଜେ ନିତ୍ୟ ମଞ୍ଜୁଳ

। ୨୦ ।

ଉଦ୍‌ଗ୍ରୀବ ହୋଇ ନିତ୍ୟ ଗୃହମୟୂର

 

ଗମ୍ଭୀର କେକାରବେ ପୂରନ୍ତି ପୁର,

 

ସୁଧାକର କିରଣେ ନିତ୍ୟ ତିମିର

 

ଦୂର ହୋଇ ପ୍ରଦୋଷ ଦିଶେ ରୁଚିର

। ୨୪ ।

ଅଳକାରେ ଲୋତକ ସୁଖରୁ ବ‌ହେ,

 

ଆନ ପୀଡ଼ା ଅଭାବେ ଅନଙ୍ଗ ଦ‌ହେ,

 

ଅନଙ୍ଗ ପୀଡ଼ା ପ୍ରତିକାର ପ୍ରଚୁର

 

ଅଛି ତ‌ହିଁ, ତେଣୁ ସେ ପୀଡ଼ା ମଧୁର

। ୨୮ ।

ମାନ ବିହୁନେ ନାହିଁ ଆନ କଳହ,

 

ମାନ‌ଜ ବିନୁ ନାହିଁ ଆନ ବିରହ,

 

ଆନ ବୟସ ନାହିଁ ବିନା ଯୌବନ

 

ଏକତ୍ରେ ସର୍ବ ଋତୁ-ସୁଖ ମିଳନ

। ୩୨ ।

କୁସୁମତାରକିତ ମଣି-ପ୍ରାସାଦେ

 

ମଧୁ ପିଅନ୍ତି ଯକ୍ଷେ ମନପ୍ରସାଦେ,

 

ଅବସର ଲଭିଣ ମୀନ‌କେତନ

 

ପୁଷ୍ପ-ବିଶିଖେ ଅଙ୍ଗ ବିନ୍ଧେ ବ‌ହ‌ନ

। ୩୬ ।

ବରଯୁବତୀବ୍ରଜ ବସନ୍ତି ପାଶେ

 

ବାସଇ ସମୀରଣ ସୁରହି ଶ୍ୱାସେ,

 

ମୁରୁଜ ମନ୍ଦ୍ରନାଦ ପୂରଇ ପୁର

 

କାମିନୀ କଳକଣ୍ଠ ଶୁଭେ ମଧୁର

। ୪୦ ।

ମନ୍ଦାକିନୀ ପୁଳିନେ ମନ୍ଦାର ତଳେ

 

ଖେଳନ୍ତି ବାଳବ୍ରଜ ବସି କୁଶଳେ,

 

ନିର୍ମଳ ବାରିବିନ୍ଦୁ ବ‌ହି ପବନ

 

ସେବନ ଛଳେ ବକ୍ତ୍ର ପରଶେ ଘନ

। ୪୪ ।

କନ‌କ ସିକତାରେ ଲୁଚାଇ ମଣି

 

ଲୋଡ଼ନ୍ତି କଉତୁକେ ବରବରନୀ,

 

ରଙ୍ଗ ଅମ୍ବରେ ବପୁ ଶୋହେ ସୁନ୍ଦର

 

ରଙ୍ଗ ଅମ୍ବୁଜେ ଯେହ୍ନେପୀତ କେଶର

। ୪୮ ।

କାମେ ଉନ୍ମତ୍ତ କାନ୍ତ ଦୁକୂଳ ହରେ

 

ସୁନ୍ଦରୀ ଦିଗମ୍ବରୀ ଥରେ ଲାଜରେ,

 

ସମ୍ମୁଖେ ରତ୍ନ‌ଦୀପ ଉଜ୍ଜ୍ୱଳ ଜଳେ

 

ନିର୍ବାଣ ଆଶେ ହିମରଜ ବିଫଳେ

। ୫୨ ।

ଫିଙ୍ଗଇ ବରାଙ୍ଗନା ପ୍ରଦୀପ ପ୍ରତି

 

ବ୍ୟର୍ଥ ଯତନ ଦେଖି କୌତୁକୀ ପତି;

 

ଭାସନ୍ତି ପ୍ରେମନୀରେ ତ‌ହୁଁ ଉଭୟେ

 

ଭିଡ଼ନ୍ତି ପରସ୍ପର ଅଙ୍ଗ ନିର୍ଦ୍ଦୟେ

। ୫୬ ।

ସରମେ ରସବତୀ ରମଣ ଚିତ୍ତ

 

ରସାଇ ଅନୁରାଗ କରେ ଦୀପିତ;

 

ସରମେ ଶଶି-ମୁଖୀ ମୁଖମାଧୁରୀ

 

ଧୈର୍ଯ୍ୟ ଅଙ୍କୁରକୁ ସେ କାମ କତୁରୀ

। ୬୦ ।

ପଦ୍ମୋଦରସୋଦର ବର ବଦନେ

 

ଲାଜରାଗ ଉଜଳେ ରାଗ ରମଣେ,

 

ସୁନ୍ଦର ଦରସ୍ମିତ ତା ସଙ୍ଗେ ମିଶେ

 

କମଳେ ରବିବିଭା ତା ସରି କି ସେ?

। ୬୪ ।

ଜଳଦମାଳ ତ‌ହିଁ ପବନ ବଳେ

 

ତୁଙ୍ଗ ସୌଧ ଗବାକ୍ଷେ ପଶି ଚଞ୍ଚଳେ,

 

ତିନ୍ତାଇ ଭିତ୍ତି ଚିତ୍ର ପଳାନ୍ତି ତ୍ରାସେ,

 

ଧୂମରାଶି ପରାୟେ ଦିଶି ଆକାଶେ (୧)

। ୬୮ ।

ସୂତ୍ରଲମ୍ବିତ ଚନ୍ଦ୍ରକାନ୍ତି ନିକର

 

ଯହିଁ ନିଶିରେ ଲଭି ଚନ୍ଦ୍ରମା କର,

 

କରଇ, ମୁଞ୍ଚି ଜଳବିନ୍ଦୁ ବିମଳ

 

ଅଙ୍ଗନା ରତିଖିନ୍ନ ଅଙ୍ଗ ଶୀତଳ

। ୭୨ ।

କୁବେର ଯଶଗୀତ ଗାଇ କୌତୁକେ

 

କଳକଣ୍ଠ କିନ୍ନର ଭ୍ରମନ୍ତି ସୁଖେ,

 

ଯକ୍ଷବିଳାସିଦଳ ବୈଭ୍ରାଜବନେ

 

ସୁରକାମିନୀ ସଙ୍ଗେ ଅନଙ୍ଗରଣେ

। ୭୬ ।

ମାତନ୍ତି – ନାଦେପିକ, ନାଦେ ଭ୍ରମର

 

ଅଳଙ୍କାର ଝଙ୍କାର ମିଶେ ସୁନ୍ଦର,

 

ଲାଜେ ନିକୁଞ୍ଜେ ଥରେ କୁଞ୍ଜବଲ୍ଲରୀ

 

ଦୋଳେ ମଞ୍ଜୁଳେ ପୁଲ୍ଲ, ଫୁଲମଞ୍ଜରୀ

। ୮୦ ।

ଅଭିସାରିକାକୁଳ କାନ୍ତ ସଦନେ

 

ନିଶି ଅନ୍ଧାରେ ଯହିଁ ଯାନ୍ତି ବିଜନେ,

 

କମ୍ପଇ ଅଙ୍ଗଲତା ବେଗେ ସାଧ୍ୱସେ

 

କୁଟିଳ କୁନ୍ତଳରୁ ମନ୍ଦାରଖସେ

। ୮୪ ।

ଚାହାଁନ୍ତି ଚଉଦିଗେ ଭୟେ ବିକଳ

 

ଖସଇ କର୍ଣ୍ଣ-ଶୋଭି ସ୍ୱର୍ଣ୍ଣକମଳ,

 

ଘନ ଉରଜୁଁ ଛିଣ୍ଡି ମୁକୁତାହାର

 

ସୂଚଇ ପ୍ରାତେ ବାଳା-ନିଶି-ବେଭାର

। ୮୮ ।

ଅଳକାପୁରେ ଛନ୍ତି ଶଶିଶେଖର

 

ଅଳି-ଶିଞ୍ଜିନୀ ଧନୁ କୁସୁମଶର,

 

ନ ଧରେ ତ୍ରାସେ, ତ‌ହୁଁ ଲାବଣ୍ୟମୟୀ-

 

ବାଳା-କଟାକ୍ଷ ତାର କାର୍ଯ୍ୟ କରଇ

। ୯୨ ।

କାମିନୀ ଭୂରୁ କାମକୋଦଣ୍ଡପରି

 

କାମିନୀ ବାମନେତ୍ର ବିଶିଖ ସରି,

 

ଅନ‌ଙ୍ଗର ପ୍ରୟାସ ତେଣୁ ସଫଳ

 

ଅସ୍ତ୍ରେ କି କାର୍ଯ୍ୟ ଯାର ଅବଳା ବଳ

। ୯୬ ।

ନବ ଦୁକୂଳ ନାନା ରାଗେ ରଞ୍ଜିତ,

 

ନେତ୍ର-ବିଳାସକର ମଧୁବାସିତ,

 

ସପଲ୍ଲବକୁସୁମ, ରମ୍ୟ ଭୂଷଣ

 

ଅଳତା ଲଳିତାଙ୍ଗୀ ପାଦମଣ୍ଡନ

। ୧୦୦ ।

କଳ୍ପତରୁ ଦେହରୁ ସବୁ ପ୍ରସୂତ

 

ଇଚ୍ଛାମାତ୍ରକେ ସବୁ ହୁଏ ପ୍ରସ୍ତୁତ,

 

ସେ ତରୁକୁଞ୍ଜେ ବସି କୁଞ୍ଜରଗତି

 

ଲେଖନ୍ତି ପ୍ରେମଲିପି ପ୍ରେମିକ ପ୍ରତି

। ୧୦୪ ।

ଧନପତି (୨) ବସତି ଛାଡ଼ି ଉତ୍ତରେ

 

ଇନ୍ଦ୍ରଧନୁ-ତୋରଣ ନୟନ ହରେ,

 

ସେ ଅଟେ ନିରଧର! ମୋର ନିଳୟ,

 

ଦୂରୁଁ ଦିଶଇ ଚାରୁ ସୁଷମାମୟ

। ୧୦୮ ।

ତ‌ହିଁ ଉଦ୍ୟାନେ ରାଜେ ଶିଶୁମନ୍ଦାର,

 

ତା’ଠାରେ ପୁତ୍ରପ୍ରାୟେ ସ୍ନେହ ପ୍ରିୟାର,

 

କନ‌କ-ପୁଷ୍ପ-ରାଜି ଶୋହେ ସ୍ତବକେ

 

ତରୁଣ ରବିକରେ ଚାରୁ ଝଟକେ

। ୧୧୨ ।

ମରକତ ସୋପାନ ତ‌ହିଁ ସରସୀ

 

ନୀଳଘନବେଷ୍ଟିତ ଯେସନ ଶଶୀ,

 

ହେମକମଳକଳି ବ‌ହୁ ବିକସେ,

 

ନୀଳକାନ୍ତ ବୃନ୍ତରେ ଉଜ୍ଜ୍ୱଳ ହସେ

। ୧୧୬ ।

ସୁଖେ ବସନ୍ତି ତ‌ହିଁ ହଂସସାରସ

 

ବର୍ଷାଗମେ ମାନସେ ନାହିଁ ମାନସ,

 

ବାରିବିହ‌ଙ୍ଗେ ନୀଳ ଲହରୀ ପରେ

 

ଦୋଳନ୍ତି, ସରୋବର ପରି ରାବରେ

। ୧୨୦ ।

 

 

(୧) ଦାର୍ଜିଲିଂରେ ଏହି ଦୃଶ୍ୟ ପ୍ରତ୍ୟକ୍ଷ ଦେଖାଯାଏ।

(୨) ଧନପତି – କୁବେର।

 

ସରସୀ-ତୀରେ ଇନ୍ଦ୍ରନୀଳ-ଶିଖର

 

କ୍ରୀଡ଼ା ପର୍ବତେ ରାଜେ କେଡ଼େ ସୁନ୍ଦର,

 

ସ୍ୱର୍ଣ୍ଣ-କଦଳୀ-ଦଳ ଚଉଦିଗରେ

 

ଶୋହେ ବିଜୁଳି ଯେହ୍ନେ ତୋ କଳେବରେ

। ୧୨୪ ।

ପ୍ରିୟା ବିହାର ସ୍ଥଳ ସେହୁ ଅଟଇ

 

ତୋ ଦରଶନେ ଘନ! ମନେପଡ଼ଇ,

 

ନୟନୁ ନୀର ଝରେ ତାର ସ୍ମରଣେ

 

ଝୁରୁଥିବ ପ୍ରେୟସୀ ନିକି ବିଜନେ

। ୧୨୮ ।

ରକ୍ତ ଅଶୋକ ତରୁ ସେ ଉପବନେ

 

ନବ ପଲ୍ଲବ ନିତ୍ୟ କମ୍ପେ ପବନେ,

 

ମାଧବୀ-ବିମଣ୍ଡିତ ମଣ୍ଡପ ତ‌ହିଁ

 

ରମ୍ୟ ପୁଷ୍ପେ ମଧୁପ ମଧୁ ପିଅଇ

। ୧୩୨ ।

କୁରୁବକ ବେଷ୍ଟନ ସେ ମଣ୍ଡପର

 

ରାଜେ ପାଶେ ପୁଷ୍ପିତ କାନ୍ତ କେଶର,

 

ଦ୍ୱନ୍ଦୀ ଅଟଇ ମୋର ତରୁଯୁଗଳ

 

ନିତ୍ୟ କରଇ ମନ ଈର୍ଷାଚଞ୍ଚଳ

। ୧୩୬ ।

ବାଞ୍ଛେ ଅଶୋକ ପ୍ରିୟା ପଦପରଶ

 

ବାଞ୍ଛେ ବକୁଳ ମୁଖମଦିରା ରସ,

 

ଏକାନ୍ତେ କାନ୍ତା ତ‌ହିଁ ପ୍ରଦୋଷେ ବସେ

 

ବାୟୁ ବାରିଜ ସଙ୍ଗେ ବକ୍ର ପରଶେ

। ୧୪୦ ।

କନ‌କଯଷ୍ଟି ତ‌ହିଁ ରାଜେ ଉଜ୍ଜ୍ୱଳ

 

ଶିରେ ସୁନ୍ଦର ଶୋହେ ସ୍ଫୁଟିକଫଳ,

 

ମୂଳ ମଣ୍ଡଣୀ ତାର ଇନ୍ଦ୍ରନୀଳରେ

 

ତୋ ମିତ୍ର ନୀଳକଣ୍ଠ ତ‌ହିଁ ବିହରେ

। ୧୪୪ ।

ସରୋଜବନ୍ଧୁ ଚଢ଼ି ଚରମାଚଳେ

 

ସ୍ୱର୍ଣ୍ଣକିରଣେ ତରୁଶିର ଉଜଳେ,

 

ସରୋଜନେତ୍ରୀ ବାଳା ତ‌ହିଁ ବିଳାସେ

 

କରତାଳି ଦିଅଇ ମୟୂର ପାଶେ

। ୧୪୮ ।

ବାଜଇ ରଣରଣ ବାଜେଣୀ ବଳା

 

ନାଚଇ ଘନଘନ କେକୀ ଉତ୍ତଳା,

 

ତାଳେ ବାଜଇ କରେ ଶିଞ୍ଜା ଭୂଷଣ

 

ତାଳେ ମୟୂର ରାବେ ରଞ୍ଜି ଶ୍ରବଣ

। ୧୫୨ ।

ନୀଳକମଳ-ଗଞ୍ଜି କଳାପ ଟେକି

 

କୌତୁକେ ଉପବନେ ନାଚଇ କେକୀ,

 

ଉରେ ଏ ଛବି ଘେନି ନାଚେ ତରଙ୍ଗ

 

ଝୁରେ ନୟନ ଘନ! ସ୍ମରି ସେ ରଙ୍ଗ

। ୧୫୬ ।

ଏ ଲକ୍ଷଣୁ ଜାଣିବୁ ମୋହୋ ଆଗାର

 

ଖୋଦିତ ଶଙ୍ଖପଦ୍ମେ ଶୋଭେ ତା ଦ୍ୱାର,

 

ନାହିଁ ସେ ପୂର୍ବ ଭାବ ପୂର୍ବ ମାଧୁରୀ

 

ରବି ବିହୁନେ ପଦ୍ମ ପରାଏ ଝୁରି

। ୧୬୦ ।

କରଭ ପ୍ରାୟେ କରି ଶରୀର କ୍ଷୀଣ

 

କ୍ରୀଡ଼ାଶଇଳେ ସୁଖେ ହୋଇ ଆସୀନ,

 

ଭେଟିବ ନାଗରୀକୁ ଆଗାରେ ତ‌ହିଁ

 

ଖଦ୍ୟୋତ ପ୍ରାୟେ କାନ୍ତି ନିଭି ଜଳଇ

। ୧୬୪ ।

ମଳିନ ସୁଷମା ଦେଖି ହେ ଘନ!

 

କରୁଣା ଉପୁଜିବ, ଦ୍ରବିବ ମନ,

 

ସ୍ଫୁରିବ ସୌଦାମିନୀ ନଭେ ଉଜ୍ଜ୍ୱଳେ

 

ଚମକି ଚାରୁନେତ୍ରୀ ଚାହିଁବ ଭଲେ

। ୧୬୮ ।

କୃଶାଙ୍ଗୀ କୃଶୋଦରୀ କୁନ୍ଦ‌ଦଶନା

 

ଗୁରୁ ଜଘନଭାରେ ମନ୍ଦଗମନା,

 

ଚକିତ-ମୃଗନେତ୍ରୀ, ଜବାଅଧରୀ,

 

ଉଚ୍ଚ ଉରଜେ ନତ ଗାତ୍ରବଲ୍ଲରୀ

। ୧୭୨ ।

ତପ୍ତ-କନ‌କ-କାନ୍ତି କାନ୍ତ ଶରୀର

 

ମୃଣାଳଗଞ୍ଜିଭୁଜ, ନାଭି ଗଭୀର,

 

ଯୁବତୀକୁଳେ ଶ୍ରେଷ୍ଠ ସେହି ରଙ୍ଗିନୀ

 

କୁସୁମକୁଳେ ଶ୍ରେଷ୍ଠ ଯେହ୍ନେ ନଳିନୀ

। ୧୭୬ ।

ବିଳାସ-ପଦ୍ମାକର-ହଂସୀ ନବୀନା

 

ରସାଳସୀ, ସୁକେଳି-କଳାପ୍ରବୀଣା,

 

ମଞ୍ଜୁବାହିନୀ ମଞ୍ଜୁକଞ୍ଜବଦନୀ

 

ରୂପଖଣିରେ ନାହିଁ ତା ତୁଲେ ମଣି

। ୧୮୦ ।

ସେ ଅଟେ ନୀରଧର! ମୋହୋ ନ‌ାଗରୀ

 

ପ୍ରେମପ୍ରତିମା ମୋର ପରାଣ ସରି,

 

ଚକ୍ରବାକୀ ପରାଏ ମୋହୋ ବିଚ୍ଛେଦେ

 

ମଉନେ ଥିବ ଝୁରି ହୃଦୟଖେଦେ

। ୧୮୪ ।

ନୀହାରପାତେ ପଦ୍ମ ପ୍ରାୟେ ପ୍ରେୟସୀ

 

ନିରାଶେ ଝୁରୁଥିବ ନିଭୃତେ ବସି,

 

ରବି ପ୍ରଖରକର ପ୍ରାୟେ କମଳେ

 

ନ ଥିବ ପୂର୍ବ ଜ୍ୟୋତି ନେତ୍ର ଯୁଗଳେ

। ୧୮୮ ।

ନୀଳ-ନଳିନ-ନେତ୍ର ରୋଦନେ ସ୍ଫୀତ

 

ଲୋତକେ ହୋଇଥିବ ନିଶ୍ଚେ ଲୋହିତ,

 

ବିମ୍ବାଧରୀ ଅଧର ଉଷ୍ମ ନିଶ୍ୱାସେ

 

ବିବର୍ଣ୍ଣ ହୋଇଥିବ ଘନ! ନିରାଶେ

। ୧୯୨ ।

କରେ ବଦନ ଥୋଇଥିବା ବସିଣ

 

ଶ୍ଳଥ କୁନ୍ତଳ ପଡ଼ିଥିବ ଲମ୍ବିଣ,

 

ତୋ ଗ୍ରାସେ ଶଶଧର ପରାଏ, ଘନ!

 

ଦୀନ ଦିଶିବ କାନ୍ତା କାନ୍ତ-ବଦନ

। ୧୯୬ ।

ମିଳନ କାମନାରେ କାନ୍ତା ମୋହର

 

ମାଗୁଣ ଥିବ ଇଷ୍ଟଦେବଙ୍କୁ ବରଳ,

 

ନବ ବିରହେ କୃଶ ମୋର ମୂରତି

 

ଯତନେ ନିକି ଚିତ୍ରୁଥିବ ଯୁବତୀ

। ୨୦୦ ।

ପିଞ୍ଜରେ ଅବା ସାରୀ ମୁହଁକୁ ଚାହିଁ

 

ଭାଷୁଥିବ ତା ଶୋକେ ଶୋକ ମିଶାଇ,

 

‘କାନ୍ତକୁ ସ୍ମରି କିଲୋ ହେଉ ବିକଳ?

 

ତୋଠାରେ ସ୍ନେହ ତାର ଥିଲା ଅଟଳ’

। ୨୦୪ ।

ବାମନୟନା ମନ୍ଦ ମଳିନ ବାସ

 

ଉଡ଼ାଉଥିବ ଉଷ୍ମ ଶୋକ-ଉଚ୍ଛ୍ୱାସ,

 

ଗାଉଣଥିବ ବୀଣା ଉତ୍ସଙ୍ଗେ ଘେନି,

 

ଚୁମ୍ବି ଅବନୀ ଲମ୍ବିଥିବ ତା ବେଣୀ

। ୨୦୮ ।

ତାରସ୍ୱରେ ମୋ ନାମ ସଙ୍ଗୀତ ଗାଇ

 

ନୟନ ନୀରେ ବୀଣା-ତାର ତିନ୍ତାଇ,

 

ପୋଛି ପଣନ୍ତେ ବୀଣା ଗାଆନ୍ତେ ପୁଣି

 

ମୂର୍ଚ୍ଛନା ପାସୋରିବ ବେଗେ ତରୁଣୀ

। ୨୧୨ ।

ବିରହ-ବ‌ହ୍ନି ଶୋଷୁଥିବ ଜୀବନ

 

ଭୂତଳେ ଗୋଟି ଗୋଟି ଥୋଇ ସୁମନ,

 

ଶେଷ ବିରହ ମାସ ଦୁଆରେ ବସି

 

ବିମନା ହୋଇ ଗଣୁଥିବ ପ୍ରେୟସୀ

। ୨୧୬ ।

କାନ୍ତ ସଙ୍ଗେ ସଙ୍ଗମ କଳ୍ପନାବଳେ

 

ହୃଦୟେ ଲଭୁଥିବ ବସି ବିରଳେ;

 

କାମିନୀଏ ଏରୂପେ ବିରହ‌ କ୍ଳେଶ

 

ବାହ‌ନ୍ତି, ବାରିଦ! ତୁ ଜାଣୁ ବିଶେଷ

। ୨୨୦ ।

ଦିବସେ ଗୃହକର୍ମେ ଥିବ ସେ ରତ

 

ଦିବସେ ଶୋକ ତାର ଥିବ ଗୁପତ,

 

ବାସର ଅନ୍ତେ ଅବସର ଲଭିଣ

 

ବାରିଜମୂଖୀ ମନ କରିଣ କ୍ଷୀଣ

। ୨୨୪ ।

କାତରେ ଥିବ ଶୋଇ ଭୂମିଶୟନେ

 

ବିରହ ଦିନୁ ନାହିଁ ନିଦ୍ରା ନୟନେ,

 

ନିଶିରେ ବାତାୟନ ସନ୍ନିଧେ ରହି

 

ପ୍ରବୋଧିବୁ ବାଳାକୁ ବାରତା କ‌ହି

। ୨୨୮ ।

ବିରହଶଯ୍ୟାପରେ ଅନଙ୍ଗଶର

 

ଅଙ୍ଗନାକ୍ଷୀଣ ଅଙ୍ଗ କରେ ଜର୍ଜ୍ଜର;

 

ବିକଳେ ପଡ଼ିଥିବ ଏକା ସେ ତ‌ହିଁ

 

ଚରମା ଚନ୍ଦ୍ରକଳା କୃଶତା ବ‌ହି

।୨୩୨।

ଯେ ରଜନୀ ସଜନୀ ମୋହ ସଙ୍ଗତେ

 

ବିଳାସେ ବଞ୍ଚୁଥିଲା ଇଚ୍ଛା ସୁରତେ,

 

ଏକାଳେ ସେ ରଜନୀ ହୋଇବ କାଳ

 

ବୁଡ଼ାଇବ ଲୋତକେ ନେତ୍ର ବିଶାଳ

। ୨୩୬ ।

କପୋଳଲମ୍ବୀ ନୀଳଚୂର୍ଣ୍ଣକୁନ୍ତଳ

 

(କରୁଥିଲା ପୂର୍ବେ ଯା ସ୍ନେହେ ଉଜ୍ଜ୍ୱଳ)

 

ରୁକ୍ଷ ସ୍ନାନରେ ହୋଇଥିବ କର୍କଶ

 

ଉଷ୍ମ ନିଃଶ୍ୱାସେ ଉଡ଼ୁଥିବ ଅବଶ

। ୨୪୦ ।

ସେ ଶ୍ୱାସେ ବିମ୍ବାଧରୀବିମ୍ବ ଅଧର

 

ବିବର୍ଣ୍ଣ ଦେଖି ହେବ ହୃଦ କାତର,

 

ସ୍ୱପନେ ସୀମନ୍ତିନୀ ମୋ ଆଲିଙ୍ଗନ

 

ଲଭିବା ଆଶେ ଲୋଡ଼ୁଥିବ ବ‌ହ‌ନ

। ୨୪୪ ।

ନିଦ୍ରାକୁ ନିଦ୍ରାପଥ ନୟନ ନୀର

 

ରୋଧିଣ କରୁଥିବେ ମନ ଅସ୍ଥିର,

 

ସୁଖ ସମୟେ ଯେହୁ ନ ଲୋଡ଼ି ମିଳେ

 

ନ ମିଳଇ ଯତନେ ଦୁଃଖେ ଲୋଡ଼ିଲେ

। ୨୪୮ ।

ମେଲାଣି କାଳେ ଫୁଲମାଳ ଖସାଇ

 

ବାନ୍ଧିଲି ଯେ ବେଣୀ ମୁଁ ଆବାସେ ଥାଇ,

 

ଶାପଅନ୍ତେ ଯେ ବେଣୀ ବାନ୍ଧିବି ପୁଣି

 

ଅରଞ୍ଜିତ-ନ‌ଖର-କରେ ତରୁଣୀ

। ୨୫୨ ।

କ୍ଷଣେ-କ୍ଷଣେ କପୋଳୁଁ ଘୁଞ୍ଚାଉଥିବ

 

ଛାର ଅଦୃଷ୍ଟେ ଏହା କଲା ଦଇବ!

 

ନାହିଁ ସେ ପୂର୍ବ ଶୋଭା ପୂର୍ବ ଯତନ

 

କଳିନ୍ଦ-କନ୍ୟା-କାନ୍ତି ପୂର୍ବ ବରଣ

। ୨୫୬ ।

ଗବାକ୍ଷ ମାର୍ଗେ ସୌମ୍ୟ ସୁଧାଂଶୁ କର

 

ପଡ଼ି ଉଜଳୁଥିବ ସୌଧ ଅନ୍ତର,

 

ପୂର୍ବ ପ୍ରୀତିରୁ ଭୀରୁ ଅନାଇ ଥରେ

 

ଶଶିକୁ, ବୁଲାଇବ ନେତ୍ର ସତ୍ୱରେ

। ୨୬୦ ।

ପୀୟୂଷକର ତାହା ପକ୍ଷେ ଗରଳ

 

ତେଣୁ ଝରିବ ନେତ୍ରୁ ଲୋତକ ଜଳ,

 

ଆବରିବ ଅବଳା ପକ୍ଷ୍ମେ ବ‌ହ‌ନ

 

ଦୁର୍ଦିନ ପଦ୍ମ‌ପ୍ରାୟେ ଆର୍ଦ୍ରନୟନ

। ୨୬୪ ।

ଭୂଷଣହୀନ ମୃଦୁ ଅଙ୍ଗ ଅଙ୍ଗନା

 

ଥୋଉଥିବ ଶୟନେ ଶୋକେ ଉନ୍ମନା,

 

ତା ଦେଖି ନୀର-ଅଶ୍ରୁ ମୁଞ୍ଚିବୁ ଘନ

 

ପରଦୁଃଖେ କାତର ମହତ ମନ

। ୨୬୮ ।

ସ୍ନେହ‌ମୟ ମୋ ପ୍ରତି ପ୍ରେୟସୀ ଚିତ୍ତ

 

ତେଣୁ ଏ ଦଶା ତାର ହୁଏ ପ୍ରତୀତ,

 

ଆପଣାଠାରେ ପକ୍ଷ‌ପାତରୁ ଏତେ

 

କ‌ହିଲି ଘନ! ପୁଣି ନ ଘେନ ଚେତେ

। ୨୭୨ ।

ଯା କ‌ହିଲି ଝଟକେ ନେତ୍ରଗୋଚର

 

ହେବ ଭବନେ ମୋର ହେ କାମଚର!

 

ଅନୁମାନ ଚିତ୍ରଇ ଏବେ ଯେ ଛବି

 

ନୋହିବ ତ‌ହୁଁ ଆନ ପ୍ରାଣବାନ୍ଧବୀ

। ୨୭୬ ।

ସୁସନ୍ଦେଶ ବ‌ହି ତୁ ହେଲେ ପ୍ରବେଶ

 

ଉପୁଜିବ ହରଷ ହୃଦେ ଅଶେଷ,

 

ମୀନଚହଳେ ଚଳ କମଳ ପରି

 

ସ୍ଫୁରିବ ବାମନେତ୍ର ବେଗେ ସଞ୍ଚରି

। ୨୮୦ ।

କଜ୍ଜଳକେଶୀ ନେତ୍ରେ ନାହିଁ କଜ୍ଜ୍ୱଳ

 

ଅପାଙ୍ଗେ ଲମ୍ବିଥିବ ଶ୍ଳଥ କୁନ୍ତଳ,

 

ମଧୁ ତିଆଗୁଁ ଆଗ ଭୂରୁବିଳାସ

 

ନ ଥିବ ସେ ପୂରୁବ ବକ୍ତ୍ର ବିକାଶ

। ୨୮୪ ।

ଅନ‌ଖକ୍ଷତ ବାମଊରୁ ବର୍ତ୍ତୁଳ

 

କନ‌କରମ୍ଭାତରୁଗଞ୍ଜି ମଞ୍ଜୁଳ,

 

ନ ଶୋହେ ଯହିଁ ଏବେ ମୁକୁତାହାର

 

ବିରହେ ହାରେ ଲୋଡ଼ା କାହିଁବାଳାର?

। ୨୮୮ ।

ସଂବାହ‌ନେ ଯାହାର ସୁରତ ପରେ

 

କୃତାର୍ଥ ହେଉଥିଲି ଶେଯ ଉପରେ,

 

ତୋ ମିଳନେ ସେ ଊରୁ ସ୍ଫୁରିବ ଘନ!

 

ଭାଳିବ ‘‘ଦୁଃଖ ପରା ହେଲା ଖଣ୍ଡନ’’

। ୨୯୨ ।

ସେକାଳେ ବାଳା ଯେବେ ଥିବ ନିଦ୍ରିତ

 

ଅନାଇ ଅବସର ଥିବ ସ୍ତମ୍ଭିତ,

 

ଦୁଃଖୀ ପକ୍ଷେ ନିରଦ! ନିଦ୍ରା ଶରଣ

 

ନିଦ୍ରା ଦିଅଇ ସ୍ୱପ୍ନ, ସ୍ୱପ୍ନ ରମଣ

। ୨୯୬ ।

ସ୍ୱପ୍ନବଳେ ଅବଳା ମୋହୋ ଉତ୍ସଙ୍ଗେ

 

ବିହରୁଥିବ ସୁଖ-ସୁରତ-ରଙ୍ଗେ,

 

ନିଦ୍ରାଭଙ୍ଗେ ଅଙ୍ଗନା ହେବ ଆକୁଳ

 

ତିନ୍ତାଇବ ଲୋତକେ ମଳି ଦୁକୂଳ

। ୩୦୦ ।

କାଳେ ଅବଳା ନେତ୍ର ମୁଦିବ ଡରି

 

ରଖିବୁ ଚପଳାକୁ କୋଳେ ଆବରି,

 

ପେଷି ଶୀକର-ସ୍ନିଗ୍‌ଧ ମୃଦୁ ସମୀର

 

ନବମାଳତୀ ସଙ୍ଗେ ସୁସ୍ଥଶରୀର

। ୩୦୪ ।

କରି କାନ୍ତାକୁ, ସୌଧ-ଗବାକ୍ଷେ ବସି

 

ତୋଷିବୁ ତ‌ହୁଁ ବାକ୍ୟସୁଧା ବରଷି,

 

ହେବ ହରଷ ମୋହ ସନ୍ଦେଶ ଲଭି

 

କରେ ଶଶୀ ଲଭିଲା ପ୍ରାୟେ ବଲ୍ଲଭୀ

। ୩୦୮ ।

କ‌ହିବୁ କାମିନୀକୁ ଘନ! ଏସନ,

 

‘‘ଜୀବନେ ଅଛି ବାଳା ତୋ ଜୀବ-ଧନ,

 

ମୁଁ ଅଟେ ନୀରଧର ଚାର ତାହାର

 

ଆଣିଅଛି ତୋ ପ୍ରତି ସୁସମାଚାର

। ୩୧୨ ।

ସୀମନ୍ତିନୀ କୁନ୍ତଳ ବନ୍ଧନ ଆଶେ

 

ପ୍ରବାସୁଁ କାନ୍ତ ଯେବେ ଆସଇ ବାସେ,

 

ମାର୍ଗେ ନିନାଦ ମନ୍ଦ୍ର, ଶୁଣି ମୋହର

 

ଭବନ ଲଭିବାକୁ ହୁଏ ସତ୍ୱର’’

। ୩୧୬ ।

ଏ ବାଣୀ ଶୁଣି ବାଳା ଉତ୍କଣ୍ଠାଭରେ

 

ବେଗେ ଚାହିଁବ ତୋତେ ଘନ! ଅମ୍ବରେ,

 

ଅଶୋକ ଉପବନେ ଅଶୋକ ମୂଳେ

 

ରାମରମଣୀ ଯେହ୍ନେ ଉତ୍କଣ୍ଠାକୁଳେ

। ୩୨୦ ।

ସମ୍ଭାଷିଲେ ହ‌ନୁକୁ ତରୁ ଉପରେ

 

ତେସନେ ତୋତେ ସମ୍ଭାଷିବ ଆଦରେ,

 

କାନ୍ତବାରତା କାନ୍ତମିତ୍ର ମୁଖରୁ

 

ଊଣା ନୁହଇ କାନ୍ତସଙ୍ଗସୁଖରୁ

। ୩୨୪ ।

ପର ଦୁଃଖ ଫେଡ଼ିଲେ ମହତ ମନ

 

ପରମ ପ୍ରିତୀରସେ ହୁଏ ମଗନ;

 

ପ୍ରିୟା ହରଷେ ସୁଖ ହେବ ଅଶେଷ

 

କ‌ହି ଏ ସୁବାରତା ବାର ତା କ୍ଳେଶ

। ୩୨୮ ।

‘‘ରାମଗିରିରେ ଥାଇ ଶୋକେ ବିହ୍ୱଳ

 

ତୋ ନାଥ ପଚାରଇ ତୋହ କୁଶଳ।’’

 

କ୍ଷଣଭଙ୍ଗୁର ଭବେ ପ୍ରାଣୀ-ପରାଣ,

 

ତେଣୁ ଏ ପ୍ରଶ୍ନ ଆଦ୍ୟ ସମ୍ଭାଷ ଜାଣ

। ୩୩୨ ।

‘‘ତୋ ପ୍ରାୟେ କ୍ଷୀଣ ବାଳା। ତୋ ନାଥତନୁ

 

ନିତ୍ୟ ବିନ୍ଧଇ ପୁଷ୍ପଶରେ ଅତନୁ।’’

 

ନୟନୁ ଅଶ୍ରୁନୀର ବ‌ହେ ନିୟତ

 

ଉଷ୍ମ ନିଶ୍ୱାସେ ଦେହ ଦ‌ହେ ସନ୍ତ‌ତ

।୩୩୬।

ଉତ୍କଳିକା-ଆକୁଳ ନିତ୍ୟ ହୃଦୟ

 

ରୋଧିଲା ମାର୍ଗ ବାମ ବିଧି ନିର୍ଦ୍ଦୟ,

 

ସଂକଳ୍ପେ ଅଳ୍ପୋଦରି! ଦୂରେ ସେ ଥାଇ

 

ଲଭେ ସଙ୍ଗ ତୋ ଅଙ୍ଗେ ଅଙ୍ଗେ ମିଶାଇ

। ୩୪୦ ।

ବଦନ-ଅରବିନ୍ଦ ପରଶ ଆଶେ

 

କୌତୁକେ କାନ୍ତ ତୋର ସଖୀ ସକାଶେ,

 

ନିଗୂଢ଼ କଥା ବୋଲି ଡାକି ବିଜନେ

 

ହସଇ ଆନ କଥା ଭାଷି ଶ୍ରବଣେ

। ୩୪୪ ।

ଏବେ ସେ କାନ୍ତ ତୋର ଘୋର ପ୍ରବାସେ

 

ଦିନ ଗମଇ ଦହି ଖେଦ-ହୁତାଶେ;

 

ଆକୁଳ ହୋଇ ମୋତେ ଦେଲା ମେଲାଣି

 

ପେଷିଲା ତୋ ସକାଶେ ଶୁଣ ଯେ ବାଣୀ

 

‘‘ବିରହେ କ୍ଷିପ୍ତ ପ୍ରାୟେ ଭ୍ରମଇ ଗିରି

 

ଶ୍ୟାମା ଅଙ୍ଗେ ଦେଖଇ ତୋ ଅଙ୍ଗଶିରୀ,

 

ଚକିତମୃଗୀନେତ୍ରେ ଚାରୁ ନୟନ

 

ଚନ୍ଦ୍ରେ-ଚନ୍ଦ୍ରମାମୁହୀଁ ବରବଦନ

। ୩୫୨ ।

ନୀଳକଣ୍ଠପୁଚ୍ଛେ ତୋ ନୀଳକୁନ୍ତଳ

 

ନୀଳତରଙ୍ଗେ ଭୂରୁଭଙ୍ଗୀ ଚଞ୍ଚଳ,

 

ଏକତ୍ରେ ଦେଖିବାର ଏ ଶୋଭାମାନ

 

ନାହିଁ, ନୋହିବ ଅନ୍ୟେ ତୋ ବିନୁ ପ୍ରାଣ

। ୩୫୬ ।

ମାନବତୀ ମୂରତି ତୋର ଏ ବନେ

 

ଧାତୁରାଗେ ଶିଳାରେ ଚିତ୍ରି ଯତନେ,

 

ପାଦେ ପଡ଼ିଲାବେଳେ ନୟନଜଳ

 

ଦୃଷ୍ଟି ରୋଧି କରଇ ମନ ବିହ୍ୱଳ

।୩୬୦।

କ୍ରୂର ଦଇବ ବାଳା କଲା ଏସନ

 

ନ ସ‌ହିଲା ଚିତ୍ରେ ତୋ ସଙ୍ଗେ ମିଳନ।

 

ଏଥୁଁ ବଳି କଷଣ କାହିଁ ମହୀରେ?

 

ନାହିଁ କରୁଣା ଲେଶ ବିହି ଶରୀରେ

। ୩୬୪ ।

ତୋ ବିରହେ ଏ ଦେହ ନିତ୍ୟ ଜର୍ଜର

 

ପୁଣି ବିନ୍ଧଇ ମୁହୁ ଅନଙ୍ଗ ଶର,

 

ଜଳଦ କାଳ ଆସି ହେଲା ପ୍ରବେଶ

 

ନୀଳଘନ ଘୋଟିଲା ଅମ୍ଭର ଦେଶ

। ୩୬୮ ।

ଗ‌ଗନେ ସୌଦାମିନୀ ଘନ ଝଟକେ

 

ଦମ୍ଭୋଳି ଭୀମନାଦେ ମନ ଚମକେ,

 

କିରୂପେ ଗମିବି ମୁଁ ଏ ଘୋରକାଳ!

 

ଭାବ ଭାବିନି! କଷ୍ଟ କେଡ଼େ କରାଳ

।୩୭୨।

ସ୍ୱପନେ ବାଳା ତୋତେ ଲଭି ସକାଶେ

 

ପ୍ରସାରି ବେନି ବାହୁ ଆଶ୍ଳେଷ ଆଶେ,

 

ଶୂନ୍ୟକୁ ଭିଡ଼ଇ ମୁଁ, ତା ଦେଖି ଧନ!

 

ବର୍ଷଇ ଅଶ୍ରୁ ବନ‌ଦେବୀ ନୟନ

। ୩୭୬ ।

ଅଶ୍ରୁ ବିନ୍ଦୁ ମୁକୁତାପନ୍ତି ସୁନ୍ଦର

 

ପ୍ରାତେ ପାଦପ ପର୍ଣ୍ଣେ ଝରେ ବିସ୍ତର,

 

ମୋ ଦୁଃଖେ ବିଳପନ୍ତି ଗିରି କାତରେ

 

ଅଶ୍ରୁ ଛଳେ ଦେହରୁ ନିର୍ଝର ଝରେ

। ୩୮୦ ।

ହିମଗିରିରୁ ବ‌ହେ ଶୀତ ସମୀର

 

ଦେବଦାରୁ ପାଦପ ସୁରଭି କ୍ଷୀର-

 

ସୌରଭ ହରି, ତରୁପତ୍ରେ ମର୍ମରି,

 

ଦକ୍ଷିଣେ ହିମପକ୍ଷେ (୧) ବେଗେ ପ୍ରସରି

। ୩୮୪ ।

ବ‌ହଇ ବାଳା! ସେ ତୋ ଦେହ ସୌରଭ

 

ଯେ ସୌରଭ ମନ୍ଦାରେ ନୋହେ ସୁଲଭ,

 

ସେ ସୌରଭ ଆଶେ ମୁଁ ସେ ଗନ୍ଧବ‌ହେ

 

ସେବଇ ସୀମନ୍ତିନି! ସଦା ଆଗ୍ରହେ

। ୩୮୮ ।

ତୋ ବିରହ ସନ୍ତାପେ ସଦା ତପତ

 

କିରୂପେ କ୍ଷଣପ୍ରାୟେ କ୍ଷଣଦା ଗତ

 

ହୋଇବ, ମନ୍ଦ ହେବ ମିହିର କର,

 

କରଇ ଏ କାମନା ନିତ୍ୟ ମନର

। ୩୯୨ ।

ଶାପ ମୋଚନେ ପୂର୍ବ ସୁଖ ପ୍ରାପତି

 

ନିଶ୍ଚେ ହୋଇବ, ଏହି ଆଶେ ଯୁବତି!

 

ସମ୍ଭାଳିଛି ହୃଦୟ; ତେଣୁ କାତର

 

ନ ହୁଅ, ଭବିଷ୍ୟତେ କର ନିର୍ଭର

। ୩୯୬ ।

ସୁଖ ଦୁଃଖ ଜଗତେ ନୁହଇ ଚିର

 

ଚକ୍ରଗତି ପରାଏ ଚିର ଅସ୍ଥିର,

 

ସୁଖ ଅନ୍ତେ ଆସିଲା ଏ ଦୁଃଖ ଦିନ

 

ପୁଣି ଲଭିବା କାଳେ ସୁଖ ନବୀନ

। ୪୦୦।

ଭୁଜଗ-ଶେଯୁଁ ଯେବେ ଉଠିବେ ହରି, (୨)

 

ଲଭିବ ବାସେ ତୋତେ ପୁଣିସୁନ୍ଦରୀ!

 

ଗମ ଏ ଚାରିମାସ ମୁଦି ଲୋଚନ,

 

ଏ ଅନ୍ତେ ନିଶ୍ଚେ ମୋର ଶାପମୋଚନ

। ୪୦୪ ।

ବିରହେ ବାଞ୍ଛା ଯେବେ ଉପୁଜେ ମନେ

 

ଶରତ-ପୂର୍ଣ୍ଣ-କଳାକାର-କିରଣେ,

 

ସାଧ୍ୱି! ତୋ ସଙ୍ଗେ ସବୁ ସାଧିବି ବାସେ

 

ନିହିବି ହୃଦ-ଶଶୀ ହୃଦ ଆକାଶେ

। ୪୦୮ ।

ଫୁଟିବେ ତାରାବଳୀ ନୀଳଗ‌ଗନେ

 

ଫୁଟିବ ଫୁଲ-କଳି ଫୁଲ କାନନେ,

 

କୌମୁଦୀ ହସୁଥିବ କୁମୁଦ ସଙ୍ଗେ

 

ପ୍ରମୋଦେ ଭାସୁଥିବ ସରସୀ ଅଙ୍ଗେ

। ୪୧୨ ।

ସୌଧେ, ଭୂଧରେ, ସରେ, ସ୍ୱର୍ଣ୍ଣଦୀ-ନୀରେ

 

ବିରାଜିବ ରଜତ ଜ୍ୟୋତ୍ସ୍ନା ରୁଚିରେ;

 

ନିର୍ଭର ବିକସିତ ରଙ୍ଗବଧୂଲୀ-

 

ବନୁ ପରାଗ ପଡ଼ୁଥିବ ଉଛୁଳି

। ୪୧୬ ।

ଦିଗବିଦିଗ ଦିଶୁଥିବ ଲଳିତ

 

କରୁଣେ ଗାଉଥିବେ ଟିଟ୍ଟିଭେ ଗୀତ,

 

ଦୂରେ ମାନସନୀରେ ଶଶିନର୍ତ୍ତନ

 

ସୌଧ ଶିଖରୁ ଦିଶୁଥିବ ଯତନ

। ୪୨୦ ।

ଶଶିଙ୍କୁ ଚାହିଁ ଧୀରବାତେ ଅଥୟ

 

ଶିଶିର ପିଉଥିବେ ମୁକୁଳଚୟ;

 

ଲଳିତା! ତୋ ସଙ୍ଗତେ ରଙ୍ଗେ ଭ୍ରମିବି

 

ଲଳିତ ତୋ ସଙ୍ଗୀତେ ଚିତ୍ତ ରମିବି

। ୪୨୪ ।

ପଡ଼ଇ କିରେ ମନେ ପରାଣମିତ!

 

ଭିଡ଼ି ଭୁଜ ମୋ କଣ୍ଠେ ଥିଲୁ ନିଦ୍ରିତ,

 

ଜାଗି କାନ୍ଦିଲୁ ଦିନେ କାତର ସ୍ୱରେ

 

ପଚାରନ୍ତେ କ‌ହିଲୁ ହସି ଉତ୍ତରେ

। ୪୨୮ ।

ଦେଖିଲି ଅପରୂପ, ଶଠ! ସ୍ୱପନେ

 

ଆନ ରଙ୍ଗିନୀ ତୁମ୍ଭ ସଙ୍ଗେ ଶୟନେ,

 

ସ୍ମିତ-ଲଳିତ ଚାରୁ-ଚନ୍ଦ୍ରବଦନ

 

ସ୍ମରଣ ଚନ୍ଦ୍ରାନନି! ମନ ବ‌ହ‌ନ

। ୪୩୨ ।

 

 

(୧) ହିମପକ୍ଷେ – ହିମରୂପ ଡେଣାରେ ।

(୨) ହରିଶୟନ ପରେ ଶରତ୍ କାଳ ।

 

ଏ ଅଭିଜ୍ଞାନ ଲଭି ଏ ଚାରିମାସ

 

ଗମିବୁ, ନ ହୋଇବୁ ଖେଦେ ହତାଶ।

 

ଅଳୀକ ପ୍ରବାଦକୁ ନ ଯିବୁ ପ୍ରତେ,

 

ଜୀବନେ ଅଛି ଧନ! ଜାଣିବୁ ସତେ

। ୪୩୬ ।

ଦୀର୍ଘ ବିରହ ଅଟେ ସ୍ନେହନାଶକ

 

ଭୋଗ ଅଭାବେ ସେହୁ ସ୍ନେହପୋଷକ,

 

ଭୋଗ ଅଭାବେ ପ୍ରିୟା ପ୍ରେମସରିତ

 

ପ୍ଳାବନେ ପ୍ରିୟା ପାଶେ ହୁଏ ଧାବିତ

। ୪୪୦ ।

ମଉନେ ଅଛ ଘନ! ନାହିଁ ମୋ ଭୟ,

 

ଫଳିବ ମୋ ଅଭୀଷ୍ଟ ନାହିଁ ସଂଶୟ;

 

ଚାତକ ଜଳ ମାଗେ, ପ୍ରତିଉତ୍ତର

 

ନ ଦେଇ ନୀର ତାକୁ ଦିଅ ସତ୍ୱର

। ୪୪୪ ।

ମହତ ଜନର ଏ ରୀତି ଅଟଳ,

 

ଅଭୀଷ୍ଟ-ଦାନ ପ୍ରତିବାଣୀ କେବଳ,

 

ବଚନେ ଲୋଡ଼ା ନାହିଁ ମୋର ଜଳଦ!

 

ମଉନେ ଇଷ୍ଟଲାଭ ପରମପଦ

। ୪୪୮ ।

ବିରହିଣୀ କାନ୍ତାକୁ ଦେଇ ଆଶ୍ୱାସ,

 

ଶଙ୍କର‌-ବୃଷ-ଖୁର-କ୍ଷତ କୈଳାସ

 

ଛାଡ଼ି, ନେଉଟି ଏଥି ପ୍ରିୟା ସନ୍ଦେଶେ

 

ଅଭିଜ୍ଞାନେ ତୋଷିବ ମୋତେ ବିଦେଶେ

। ୪୫୨ ।

ପ୍ରାତେ ଶିଥିଳ ଯେହ୍ନେ କୁନ୍ଦ ସୁମନ

 

ଶିଥିଳ ତ‌ହୁଁ ଘନ! ମୋହ ଜୀବନ;

 

ଜୀବଧାରଣ ହେବ ବାରତା ଲାଭେ

 

ବାରତା ଲଭିବି ମୁଁ ତୋହୋ ପ୍ରଭାବେ

। ୪୫୬ ।

ଦୀନ ଅଟଇ ମୁଁ ତୁମ୍ଭେ ମହତ,

 

ଏଣୁ ଏ ମାଗୁଣି ନୋହେ ସଙ୍ଗତ।

 

ମାତ୍ର ଅଟ ଘନ! ଦୟା-ଆକର

 

ଦୟା ନ ଜାଣଇ ଶ୍ରେଷ୍ଠ ଇତର

। ୪୬୦ ।

ତେଣୁ କ‌ହିଲି ଏସନ ହେ,

 

ଦାରୁ ଦୂବଙ୍କର ସମ ହିତକର

 

ଅଟ, ତେଣୁ ଏ ଯାଚନ ହେ।

 

କାତର ଜନର ହୋଇ ବାନ୍ଧବ

 

ଜଗତେ ପ୍ରକଟି ନିଜ ଗୌରବ

। ୪୬୪ ।

ଅଳକା ପ୍ରବେଶି ପ୍ରୟା ସଦନେ

 

ଦେଇ ମୋ ବାରତା ହରଷ ମନେ,

 

ଘନ! ଯାଅ ଇଷ୍ଟ ଦେଶ ହେ,

 

ତଡ଼ିତ ସଙ୍ଗତେ ବିହର ନିରତେ

 

ମୋ ପ୍ରାୟେ ନୋହୁ ବିଶ୍ଳେଷ ହେ

୪୬୮